ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୫ ତାରିଖରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ କର୍ମୀ ସମ୍ମିଳନୀ କେଉଁଠାରେ ହେବ ସେ ନେଇ ଚାଲିଥିଲା କଳ୍ପନା ଜଳ୍ପନା । ପ୍ରଥମେ କୁହା ଯାଉଥିଲା କି କଟକରେ ଗର୍ଜିବେ ପପୁ । ମାତ୍ର ଏହାର ଅନ୍ତ ଘଟିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ଭୁବନେଶ୍ୱର କରାଯିବ ସାଧାରଣ ସଭା । ତେବେ ବରମୁଣ୍ଡା କିମ୍ବା ତମାଣ୍ଡେ ପଡିଆ କେଉଁଠାରେ ଏହି ସଭା ହେବ ତାହା ସ୍ପଷ୍ଠ ହୋଇ ନଥିବା କହିଛନ୍ତି ନିରଞ୍ଜନ ।
ରାଜଧାନୀରେ କର୍ମୀ ସମ୍ମିଳନୀ ହେଲେ ଅଧିକ ଲୋକଙ୍କ ସମାଗମ ହେବ । ଏଣୁ ଭୁବନେଶ୍ୱରରେ ସମ୍ମିଳନୀ କରିବା ପାଇଁ ଦଳ ନିଷ୍ପତି ନେଇଛି । ନିକଟରେ ୫ଟି ରାଜ୍ୟର ବିଧାନ ସଭା ଫଳାଫଳରେ ୩ଟି ରାଜ୍ୟରେ କଂଗ୍ରେସ ସରକାର ଆସିବା ପରେ ଓଡିଶା ଉପରେ ରାହୁଲଙ୍କ ନଜର ପଡିଛି । ଏଣୁ ଓଡିଶାରେ କଂଗ୍ରେସର ବିକାଶ ପାଇଁ କର୍ମୀ ସମ୍ମିଳନୀ କରି ଗୁରୁମନ୍ତ୍ର ଦେବେ ରାହୁଲ । ସାଧାରଣ ନିର୍ବାଚନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଶାସନକୁ ଫେରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ । ସେପଟେ କଂଗ୍ରେସର ସଭାପତି ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ରାହୁଲ । ଏଣୁ କର୍ମୀଙ୍କ ମନରେ ପ୍ରବଳ ଆଗ୍ରହ ଥିବା ଜଣା ପଡିଛି ।