ଝାରସୁଗୁଡା(ଏଟିଆର ବ୍ୟୁରୋ): ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ହତ୍ୟା ମାମଲାରେ କିଛି ଦିନ ତଳେ ଗିରଫ କରିଥିଲା ରାୟଗଡା ପୋଲିସ । ତେବେ ଆଜି ରାୟଗଡା ପୋଲିସ ଅନୁପଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଛି । ଅନ୍ୟପଟେ ଅନୁପଙ୍କ ଡ୍ରାଇଭରଙ୍କୁ ଗୋଟିଏ ଦିନ ରିମାଣ୍ଡରେ ଆଣି ଉଭୟଙ୍କୁ ସାମ୍ନା ସାମ୍ନି ପାଚରା ଉଚରା କରିଥିବାର ଜଣାପଡିଛି । ତେବେ ଏହି ହତ୍ୟା ମାମଲାରେ ଛତିଶଗଡ ପୋଲିସ ଗତ ମଙ୍ଗଳବାର ଦିନ ଭୁବନେଶ୍ୱର ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାନଭିନ କରିଥିଲା ।
ଏହି ହତ୍ୟା ମାମଲାରେ ବ୍ୟବହୃତ ହୋଇଥିବା କଳା ଇନୋଭା ଗାଡିକୁ ଅନୁପଙ୍କ ସମ୍ପର୍କୀୟ ଥାନାରେ ପହଞ୍ଚାଇଛନ୍ତି । ସେହିପରି ହତ୍ୟା ଘଟଣାର ସବୁ ସତ ଜାଣିବା ପାଇଁ ପୋଲିସ ଅନୁପଙ୍କ ନାର୍କୋ ଟେଷ୍ଟ କରିବା ପାଇଁ ଚାହୁଁଛି । ଏନେଇ ପୋଲିସ କରିଥିବା ଅବେଦନ ଉପରେ ଆଜି ରାୟଗଡା କୋର୍ଟ ଶୁଣାଣି କରିବ । ସୂଚନା ଯୋଗ୍ୟ ୨୦୧୬ ମସିହାରେ ଛତିଶଗଡ ହମିରପୁର ଜଙ୍ଗଲରେ ଦୁଇଟି ମୃତ ଦେହ ମିଳିଥିଲା । ବହୁ ଦିନ ଧରି ମୃତ ଦେହର ପରିଚୟ ମିଳି ନଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
୬୦୦ ଜଣ ଲୋକଙ୍କୁ ଏହି ଘଟଣାରେ ପୋଲିସ ଜୋରା କରିଥିଲା । ତେବେ ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସପୃକ୍ତି ଥିବାର ପୋଲିସ ଖବର ପାଇଥିଲା । ଏହା ପରେ ପୋଲିସ ତାଙ୍କୁ ଥାନାରେ ହାଜର ହେବା ପାଇଁ ବାରମ୍ବାର ନୋଟିସ ଜାରି କରିଥିଲେ ମଧ୍ୟ ସେ ପୋଲିସଙ୍କୁ ସହଯୋଗ କରୁନଥିଲେ । ରାୟଗଡା ପୋଲିସ ଅନୁପଙ୍କୁ ଗିରଫ କରିବା ପରେ ସେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ । ଏହା ପରେ ଅନୁପଙ୍କ ଡ୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ ।