ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏମିତିକି ସନ୍ଧ୍ୟା ହେଲେ ଘରୁ ଗୋଡ କାଢିଲେ ଦେହହାତ କୋଲା ମାରି ଯାଉଛି । ଏହି ହାଡଭଙ୍ଗା ଜାଡ ଆହୁରି ୨ ଦିନ ଧରି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ସୂଚନା ଅନୁସାରେ ଆଜି ରାଜ୍ୟର ୧୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିିଥିଲା । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୫.୪ ରହିଛି ।
ଅଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର । ରାଜ୍ୟରେ ଶୀତରେ ପ୍ରକୋପ ଲାଗି ରହିଥିବାବେଳେ କେତେକ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି । ସେହିଭଳି ଏଥର ନୂଆ ବର୍ଷକୁ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତା ୨ ତାରିଖରେ ଉତ୍ତର ଓଡିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଯାହାର ପ୍ରଭାବରେ ୩ ତାରିଖ ଠାରୁ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇବ ।