ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟର କିଛି ସ୍ଥାନରେ ପାଗ କୋହଲା ରହିବା ସହ ତାପମାତ୍ରାରେ କିଛିଟା ପରିବର୍ତ୍ତନ ଆସିଛି । ଏହିଭଳି ପାଗ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ମାର୍ଚ୍ଚ ୪ତାରିଖରୁ ପାରଦ ବଢିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଜି ରାଜ୍ୟର ମୁଖ୍ୟତଃ ପାଞ୍ଚଟି ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ନୟାଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ଓ ବରଗଡର ଅଞ୍ଚଳବାସୀଙ୍କୁ ଆଜି ଦିନ ୧୨ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଉପରେ ଟ୍ରପଲାଇନର ପ୍ରଭାବରେ ଏପରି ପାଗ ଅନୁଭବ ହେଉଛି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଆଜି ଓ କାଲି ଉତ୍ତର ଆଭ୍ୟନ୍ତରୀଣ ଓଡିଶା ସମେତ ରାଜ୍ୟର ଆଉ କିଛି ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ଫଳରେ ରାଜ୍ୟରେ ଘନକୁହୁଡି ଦେଖାଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।