ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ । ରାଜ୍ୟରେ ଏବେ ବର୍ଷାର ପରିମାଣ ବଢିଥିଲେ ମଧ୍ୟ ଗତ ଦୁଇଦିନ ହେଲା ପାଗ ଶୁଖଇଲା ରହିଛି । ତେବେ ଆସନ୍ତା ୧୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଠାରୁ ୪ ଦିନ ଧରି ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ରହିବ ।
ସେହିଭଳି ଏବେ ପର୍ଯ୍ୟ୍ତ ରାଜ୍ୟରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ହେବାକୁ ଥିବା ଲଘୁଚାପ ପ୍ରଭାବରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଲଗୁଚାପ ମୌସୁମୀକୁ ଅଧିକ ସକ୍ରିୟ କରିପାରେ ବୋଲି ଅନୁମାନ କରାଯାଉଛି ।