ରାଉରକେଲା,(ଏଟିଆର ବ୍ୟୁରୋ): ପୁଣି ହାଜତ ମୃତ୍ୟୁ । ୩ଦିନ କାଳ ପୁଲିସ ହେପାଜତରେ ଅଟକ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଅବସ୍ଥା ଏବେ ଅସମ୍ଭାଳ ହୋଇପଡିଛି । ଅଟକ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ନା’ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ତାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଘଟଣାଟି ରାଜଗାଙ୍ଗପୁର ଏରିଆରେ ଏବେ ଆଲୋଡନ ଖେଳାଇ ଦେଇଛି । ଥାନା ଶୌଚାଳୟରୁ ମିଳିଛି ଅଭିଯୁକ୍ତର ଝୁଲନ୍ତା ମୃତଦେହ । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଏବେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଆଖି ଆଗରେ ରଖି ଥାନାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ରିପୋର୍ଟ ଅନୁସାରେ, କୁନମୁର ପଞ୍ଚାୟତରେ ବ୍ୟାଙ୍କର ଏଜେଣ୍ଟ ଭାବେ କାମ କରୁଥିଲେ ଜୟ ଲାକ୍ରା । ତେବେ ଲୋକଙ୍କଠାରୁ ଆଦାୟ କରୁଥିବା ଟଙ୍କାକୁ ସେ ବ୍ୟାଙ୍କରେ ଡିପୋଜିଟ କରୁନଥିବା ଅଭିଯୋଗ ଉଠିଥିଲା । ତେବେ ମାମଲା ଥାନାରେ ପହଞ୍ଚିବା ପରେ ପୁଲିସ ଅଚାନକ ଜୟଙ୍କୁ ଥାନାକୁ ଉଠାଇ ଆଣିଥିଲା । ୩ଦିନ କାଳ ଥାନାରେ ଅଟକ ରଖି ଜୟଙ୍କୁ ପଚରାଉଚରା ଚଳାଇଥିଲା । ହେଲେ ଏହାରି ଭିତରେ ଗତକାଲି ରାତିରେ ଘଟିଛି ଅଘଟଣ । ଥାନା ଶୌଚାଳୟ ଭିତରେ ଜୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଥାନା ଭିତରେ ସେ କିଭଳି ଆତ୍ମହତ୍ୟା କଲେ ଓ ଡ୍ୟୁଟିରେ ଥିବା ସେଣ୍ଟ୍ରି ଜାଣିପାରିଲେନି କେମିତି? ଏହାକୁ ନେଇ ସନ୍ଦେହ ଉପୁଜିଛି ।
ରାଜ୍ୟରେ ବଢ଼ି ଚାଲିଛି ହାଜତ ମୃତ୍ୟୁ ଘଟଣା । କିଛିଦିନ ତଳେ କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ମଧ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ନେଇ ତୁମୁଳକାଣ୍ଡ ଘଟିଥିଲା । ତେବେ ରାଜଗାଙ୍ଗପୁରରେ ଏଭଳି ଘଟଣା ଏବେ ପୁଣି ଥରେ ପୁଲିସର ସ୍ୱଚ୍ଚତାକୁ ନେଇ ଉଠାଇଛି ପ୍ରଶ୍ନ । ଦେଖିବାକୁ ବାକି ରହିଲା ଏହି ଘଟଣାରେ ବରିଷ୍ଠ ଅଧିକାରୀ କ’ଣ ପଦକ୍ଷେପ ନେଉଛନ୍ତି ଆଉ ମୃତ୍ୟୁ ପଛର କାରଣ କ’ଣ ବଖାଣୁଛନ୍ତି ।