କଟକ (ଏଟିଆର ବ୍ୟୁରୋ); ଓଡିଶା ଏବଂ ଜମୁ କାଶ୍ମୀର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରଣଜି ମ୍ୟାଚରେ ଘରୋଇ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ବୋଲିଂ ଏବଂ ବ୍ୟାଟିଂରେ ଦଳ ଭ୍ରମଣକାରୀ ଦଳଠାରୁ ଆଗରେ ରହିଛି । ପ୍ରଥମ ପାଳିରେ ଓଡିଶା ଆଗରେ ରହିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜମୁ କାଶ୍ମିର ଓଡିଶାଠାରୁ ୫ ରନ ପଛରେ ରହିଥିଲା । ଭ୍ରମଣକାରୀ ଦଳ ଦ୍ୱିତୀୟ ପାଳିରେ ୧୯୧ ରନ କରି ୪ଟି ୱିକେଟ ହରାଇ ସାରିଛି ।
ଜମୁ କାଶ୍ମୀର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ପାଳିରେ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୨୭ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଓଡିଶା ପକ୍ଷରୁ ସୂଯ୍ୟକାନ୍ତ ପ୍ରଧାନ ୪ଟି ୱିକେଟ ନେଇଥିବା ବେଳେ ବସନ୍ତ ମହାନ୍ତି ୩ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଓଡିଶା ପ୍ରଥମ ପାଳିରେ ଅଭିଶେକ ରାଉତଙ୍କ ଶତକ,ବିପ୍ଳବ ଏବଂ ଅନୁରାଗଙ୍କ ଅର୍ଦ୍ଧଶତକ ବଳରେ ୩୨୩ ରନ ସଂଗ୍ରହ କରିଥିଲା । ଫଳରେ ପ୍ରଥମ ପାଳିରେ ଭ୍ରମଣକାରୀ ଦଳ ୧୯୬ ରନ ପଛରେ ପଡି ଫଲୋଅନ ହୋଇଥିଲା । ପୁନର୍ବାର ବ୍ୟାଟିଂ କରିବା ପାଇଁ ଆସି ଦଳ ୧୯୧ ରନରେ ୪ଟି ୱିକେଟ ହରାଇ ସାରିଲାଣି ।