ପୁରୀ (ଏଟିଆର ବ୍ୟୁରୋ): ଆରମ୍ଭ ହେଲା ରଥଭଙ୍ଗା କାମ । ପରମ୍ପରା ଅନୁସାରେ ଆଜିଠାରୁ ରଥଭଙ୍ଗା କାମ ଆରମ୍ଭ ହୋଇଛି । ପୁରୀରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ୟ୍ୟ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ପରେ ଭୋଇ ସେବକମାନେ ରଥ ଭଙ୍ଗା କାର୍ୟ୍ୟ ଆରମ୍ଭ କରିଥିଲେ । ତେବେ ଭୋଇ ସେବକମାନେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରୁ ରଥ ଭଙ୍ଗା କାର୍ୟ୍ୟ ଆରମ୍ଭ କରିଥିଲେ। ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସକୁ ଭଙ୍ଗା ଯାଇଥିଲା ।
ଏଥିପାଇଁ ମୁଖ୍ୟ ଭୋଇ ସର୍ଦ୍ଦାର ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ୟ୍ୟ ଆରମ୍ଭ କରିବା ପରମ୍ପରା କାହିଁ କୋଇ କାଳରୁ ରହିଆସିଛି । ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବକ ନିୟୋଜିତ ହୋଇଥାଆନ୍ତି । ତେବେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିଥାନ୍ତି ୨୦ ଜଣ ଭୋଇ ସେବକ ମାନେ । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା କାହିଁ କୋଇ କାଳରୁ ରହିଆସିଛି ।
ସେହିଭଳି ମହାପ୍ରଭୁଙ୍କ ଏହି ଭଙ୍ଗା ରଥକାଠକୁ ସଂଗ୍ରହ କରି ଘରେ ରଖିଥାନ୍ତି ଭକ୍ତମାନେ। ବିଶ୍ୱାସ ରହିଛି, ରଥକାଠ ଘରେ ରଖିବା ଦ୍ୱାରା ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । ଅନ୍ୟ ପକ୍ଷରେ ରଥର ଚକ, ପ୍ରଭା, ଦ୍ୱାର ବେଢା, କଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ । ଅନ୍ୟ ସବୁ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବର୍ଷତମାମ ଜାଳ ଭାବେ ବ୍ୟବହାର ହୋଇଥାଏ ।