ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଧାନସଭାରେ ପ୍ରଶ୍ନୋଉତ୍ତର ଚାଲିଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ପୁରୀ ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏବେ ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ପ୍ରସ୍ତାବ ନାହିଁ । ମନ୍ତ୍ରୀ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଶେଷ ଥର ପାଇଁ ରତ୍ନ ଭଣ୍ଡାର ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଖୋଲା ଯାଇଥିଲା । ସେତେବେଳେ ତାଲିକା କରାଯାଇଥିବା ଅଳଙ୍କାର ଏବେବି ସୁରକ୍ଷିତ ରହିଛି ।
ସେ ସମୟର ତାଲିକା ଅନୁସାରେ ୪୫୪ ଟି ସୁନା ଅଳଙ୍କାର ଓ ୨୩୬ ଟି ରୂପା ଅଳଙ୍କାର ଗଚ୍ଛିତ ରହିଥିଲା । ଏହା ସହିତ ୮ ଟି ସୁନା ମୂର୍ତ୍ତି, ୬ ଟି ରୂପା ବାସନ ସେ ସମୟରେ ଓଜନ ହୋଇ ପାରିନଥିଲା । ଯାହାର ପରିମାଣ ଆକଳନ କରା ଯାଇନାହିଁ । ସୂଚନାଯୋଗ୍ୟ ବିଧାନସଭାରେ ପ୍ରଶ୍ନୋଉତ୍ତର ଚାଲିଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ କରି କହିଥିଲେ ଯେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଶେଷଥର ପାଇଁ କେବେ ଖୋଲା ହୋଇଥିଲା? ସେ ସମୟରେ ରତ୍ନ ଭଣ୍ଡାରରେ କଣ କଣ ରତ୍ନ ରହିଥିଲା? ଏବେ କେଉଁ କାରଣ ପାଇଁ ରତ୍ନ ଭଣ୍ଡାର ଖୋଲା ଯାଇ ପାରୁନାହିଁ?