ପୁରୀ (ଏଟିଆର ବ୍ୟୁରୋ): ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରୀ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ଏହା ଉପରେ କାମ ଆରମ୍ଭ ହୋଇଯାଇଛି । ତେବେ ଏଥିପାଇଁ ପାଇଲଟ ପ୍ରେ।ଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀମାନଙ୍କର କାଉନସେଲିଂ କରାଯାଇଛି ଏବଂ କାଉନସେଲିଂ ଶେଷ ହେବା ପରେ ସେମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଯିବ ।
ଏହି କାଉନସେଲିଂ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାମାନେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ହେବାକୁ ଥିବା ଏହି ଯୋଜନା ପୁରୀ ଜିଲ୍ଲାର ୮ଟି ଅଞ୍ଚଳରେ କାର୍ୟ୍ୟକାରୀ ହେବ । ଏହା ଯୋଜନାନୁସାରେ ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରି ରହିବା , ଖାଇବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ । ସମସ୍ତ ଭିକାରିମାନଙ୍କୁ କାଉଂନିସଲ କରାଯାଇ ସେମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଇବାର ବ୍ୟବସ୍ଥା କରାଯିବ । ଭିକାରୀଙ୍କ ମଧ୍ୟରେ ଥିବା ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, ରୋଗୀ ଆଦିଙ୍କ ପାଇଁ ସ୍ବତନ୍ତ୍ର ଗୃହ କାର୍ୟ୍ୟ କରିବ।