ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ୧ ହଜାର ସେବାଶ୍ରମ ସ୍କୁଲ ହଷ୍ଟେଲରେ ଲଗାଯିବ ସିସିଟିଭି କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ । ଏଣିକି ସେବାଶ୍ରମ ହଷ୍ଟେଲ ଗୁଡିକ ରହିବ ସିସିଟିଭି କଭରେଜରେ । ଦାରିଙ୍ଗବାଡି ସେବାଶ୍ରମ ହଷ୍ଟେଲ ଘଟଣା ପରେ ରାଜ୍ୟ ସରକାର ସଜାଗ ହୋଇ ଯାଇଛନ୍ତି । ଏବଂ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଭବିଷ୍ୟତରେ ଯେପରି ଏଭଳି କାମ ନହୁଏ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି ।
ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହି ଘଟଣାରେ ୬ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୪ ଜଣଙ୍କୁ ସସ୍ପେଣ୍ଡ କରାଯାଇଛି । ଜଣେ ଯୁବକକୁ ଗିରଫ କରାଯିବା ସହ ଜାରି ରହିଛି ଅଧିକ ତଦନ୍ତ । ସେପଟେ ଗତକାଲି ସେବାଶ୍ରମରେ ଜନ୍ମ ଦେଇଥିବା ଶିଶୁ କନ୍ୟାଟି ଆଜି ମରି ଯାଇଛି । ତେବେ ଏହି ହଷ୍ଟେଲରେ ରହୁଥିବା ଅନ୍ୟଜଣେ ଛାତ୍ରୀ ମଧ୍ୟ ୪ ମାସର ଗର୍ଭବତୀ ଥିବା ଜଣା ପଡିଛି । ଏଣୁ ଏହି ସବୁ ଭୁଳ ଯେପରି ପୁନର୍ବାର ନହୁଏ ଏବଂ ଦୋଷୀ ଜଣା ପଡିବେ ବୋଲି ସିସିଟିଭି ଲଗାଇବାର ନିଷ୍ପତି ନେଇଛନ୍ତି ସରକାର ।