ରାଉରକେଲା(ଏଟିଆର ବ୍ୟୁରୋ): କରୋନା ଭାଇରସ ବିଷୟରେ ଗୁଜବ ପ୍ରଚାର କରି ୬ଜଣ ଗିରଫ ହୋଇଛନ୍ତି । କରୋନାକୁ ନେଇ ଏହି ୬ଜଣ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିଲେ । ଏନେଇ ରାଉରକେଲାର ଏସପି କେ.ଶିବା ସୁବ୍ରମଣି ସୂଚନା ଦେଇଛନ୍ତି । ଏସପିଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାରକୁ ନେଇ ଜିଲ୍ଲାରେ ୫ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ନେଇ ଛଅ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ସହ ଆଗକୁ ଯେଉଁ ମାନେ ଏଭଳି ଗୁଜବ ପ୍ରଚାର କରିବେ ସେମାନଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ତେବେ ପୂର୍ବରୁ ଏଭଳି ଗୁଜବ ପ୍ରଚାର କରି କିଛି ବ୍ୟକ୍ତି ଗିରଫ ହୋଇଥିବାର ଦେଖିବାକୁ ମିଳିଛି ।
ଗୋଟିଏ ପଟେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଛିଥିବା ବେଳେ ଅନ୍ୟପଟେ ଗୁଜବ ପ୍ରଚାର କରି ଗିରଫ ଦାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଗୋଟାଏ ଦିନରେ ରାଜ୍ୟରେ ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।