ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରତିଦିନ ବଢ଼ୁଛି ଗାଡିମୋଟର ସଂଖ୍ୟା । ସମ୍ଭାଳିବା କଷ୍ଟକର ହୋଇପଡୁଛି । ଖାସ ଏଥିପାଇଁ ରାଜଧାନୀରେ ଖୋଲିବାକୁ ଯାଉଛି ଆଉ ଏକ ଆରଟିଓ । ଯାହାର ନାମ ଏକାମ୍ର ଆରଟିଓ ନାମରେ ନାମିତ ହେବ ବୋଲି ଯୋଜନା ଚଳାଇଛି ପରିବହନ ବିଭାଗ । ଉତ୍ତରା ଛକରେ ଏହି ଆରଟିଓ ଅଫିସ ଖୋଲାଯିବା ନେଇ ସୂଚନା ମିଳିଛି ।
ଏନେଇ କମିଶନର ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଭୁବନେଶ୍ୱର-୧ଆରଟିଓକୁ ସେଣ୍ଟ୍ରାଲ ଆରଟିଓ କରାଯିବା ସହ ଭୁବନେଶ୍ୱର-୨ଆରଟିଓକୁ ଉତ୍ତର ଆରଟିଓ କରାଯିବ । ସେହିପରି ନୂଆକରି ଖୋଲା ହେବାକୁ ଥିବା ଏକାମ୍ର ଆରଟିଓ ଖାସ କରି ବାଲିପାଟଣା, ବାଲିଅନ୍ତା, ଉତ୍ତରା ଆଦି ଅଞ୍ଚଳର ଲୋକଙ୍କ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ ପୂର୍ବରୁ ଥିବା ଭୁବନେଶ୍ୱର ଆରଟିଓ-୧ ଉପରେ ଅଧିକ ଚାପ ରହୁଥିବା ଯୋଗୁ ଏହି ନୂଆ ଆରଟିଓ ଖୋଲାଯାଉଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଖାସ ଏହାକୁ ନଜରରେ ରଖି ଗତ ୨୦୧୩ରେ ପଟିଆରେ ଭୁବନେଶ୍ୱର ଆରଟିଓ-୨ ଖୋଲା ଯାଇଥିଲା । ହେଲେ ଆରଟିଓ-୧ରେ ଭିଡ଼ ଆଦୌ କମିଲା ନାହିଁ । ତେଣୁ କମିଶନରେଟ ପୁଲିସ ଅଞ୍ଚଳରେ ୩ଟି ଆରଟିଓ ଓ ରାଜ୍ୟରେ ୫ଟି ଆରଟିଓ ଖୋଲାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଏବେ ଅପେକ୍ଷା ନୂଆକରି ଖୋଲିବାକୁ ଯାଉଥିବା ଏକାମ୍ର ଆରଟିଓ ଲୋକଙ୍କୁ କେତେ ସହାୟକ ହେଉଛି ।