ଭଦ୍ରକ ( ଏଟିଆର ବ୍ୟୁରୋ): ଏବେ ଚାରିଆଡେ ସେଇ ଗୋଟିଏ ପ୍ରସଙ୍ଗ ଟ୍ରାଫିକ ଫାଇନ । ନୂଆ ଆଇନ ଲାଗୁ ହେଲା ଦିନ ଠାରୁ ସାରା ଦେଶରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କୋଉଠି ଅଟୋବାଲା ଉପରେ ୪୭ ହଜାର ଫାଇନ ଲାଗିଲାଣି ତ ପୁଣି ଆଉ କେଉଁଠି ସ୍କୁଟି ଗାଡି ଉପରେ ୨୫ ହଜାର । ତେବେ ଏହି ଫାଇନକୁ ନେଇ ଗତକାଲି ରାଜଧାନୀ ରାଜ ମହଲରେ ହୋଇଥିଲା ମହାଭାରତ । ଫାଇନରେ ଅତିଷ୍ଠ ହୋଇ ଗତକାଲି ଖୋଦ ପୋଲିସ ଗାଡି ଚେକିଂ କରିଥିଲେ ସାଧାରଣ ଲୋକେ । ଆଉ ତାପରେ ଲଙ୍କାକାଣ୍ଡ ।
ତେବେ ସେ ଯାହା ହେଉନା କାହିଁକି ଗତକାଲି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ବାପା ଗାଡି ଝିଅ ଚଲାଇବାରୁ ତା ଉପରେ ଲାଗିଛି ଅତିରିକ୍ତ ୫ ହଜାର ଫାଇନ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଭଦ୍ରକର ସରକାର ନଗରର ନାହିଦା ଅଖତର ନାମକ ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜ ବାପାଙ୍କ ନାମରେ ଥିବା ସ୍କୁଟି ନେଇ ଘରକୁ ଫେରୁଥିବା ବେଳେ ଭଦ୍ରକ ପରିବହନ ବିଭାଗ ପକ୍ଷରୁ କରାଯାଉଥିବା ଚେକିଂରେ ଧରା ପଡିଥିଲେ । ଆରଟିଓ ଅଧିକାରୀ ଓ ପୋଲିସ ତାଙ୍କୁ କାଗଜ ପତ୍ର ମାଗିଥିଲେ । ନାହିଦା ନିଜ କାଗଜ ପତ୍ର ଦେଖାଇ ପାରିନଥିଲେ ।
ଯେଉଁଥି ପାଇଁ ହେଲମେଟ ନଥିବାରୁ୧ହଜାର, ଇନସ୍ୟୁରାନ୍ସ ପାଇଁ ୨ ହଜାର, ଲାଇସେନ୍ସ ପାଇଁ ୫ ହଜାର ଟଙ୍କା ଜୋରିମାନା ଲାଗିଥିବା ବେଳେ ପାଙ୍କ ନାଁରେ ଥିବା ଗାଡ଼ି ଚଳାଉଥିବାରୁ ୫ ହଜାର ଟଙ୍କା ଫାଇନ୍ ଲାଗିଛି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାହାକୁ ନେଇ ଏବେ ସାଧାରରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାପାଙ୍କ ନାମରେ ଥିବା ଗାଡି ଝିଅ ଚଲାଇ ପାରିବ ନାହିଁ ବୋଲି ନିୟମ କେବେ ହେଲା ବୋଲି ଲୋକମାନେ ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି ।