ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏସପ୍ଲାନେଡ ମଲରେ ସାମ୍ବାଦିକ ସ୍ୱାତି ଜେନାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଲର ସେଲସ ମ୍ୟାନେଜର ଶ୍ୟାମା ଝାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଗତ ୨୮ ଦିନ ରସୁଲଗଡ ସ୍ଥିତ ଏସପ୍ଲାନେଡ ମଲରେ ସାମ୍ବାଦିକ ସ୍ୱାତି ଜେନାଙ୍କୁ ଆକ୍ରମଣ କରାଯାଇଥିଲା । ସୂଚନା ଅନୁସାରେ ଏସପ୍ଲାନେଡ ମଲରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା । ସାମ୍ବାଦିକ ସ୍ୱାତି ଜେନା ଓ ତାଙ୍କ କ୍ୟାମେରା ପର୍ସନ ମଲକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ମଲରେ ଥିବା ସିକ୍ୟୁରିଟି ଗାର୍ଡ ମାନେ ସ୍ୱାତିଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରି ତାଙ୍କୁ ଏକ କୋଠରି ଭିତରେ ବନ୍ଦ କରି ଦେଇଥିଲେ । ଏନେଇ ସ୍ୱାତି ସହିଦ ନଗର ଥାନାରେ ମାମଲା ରୁଜୁ କରିଥିଲେ ।
ଅନ୍ୟପଟେ ଗତ କାଲି ଏସପ୍ଲାନେଡ ମଲ ସାମ୍ନାରେ ବହୁ ସଂଖ୍ୟକ ସାମ୍ବାଦିକ ମାନେ ଧାରଣାରେ ବସିଥିଲେ । ଡିସିପି ଅନୁପ ସାହୁ ସାମ୍ବାଦିକ ମାନଙ୍କ ସହ କଥା ହୋଇଥିଲେ ମଧ୍ୟ କୌଣସି ପ୍ରକାରର ସମାଧାନ ହୋଇପାରି ନଥିଲା । ସାମ୍ବାଦିକ ମାନଙ୍କର ଦାବି ଥିଲା କି ଆକ୍ରମଣ କରିଥିବା ଗାର୍ଡ ଓ ଏସପ୍ଲାନେଡ ମଲ ବିରୁଦ୍ଧରେ ଦୃଢ କାର୍ଯ୍ୟଅନୁଷ୍ଟାନ ଗ୍ରହଣ କରାଯାଉ । ମଲର ସେଲସ ମ୍ୟାନେଜର ଓ ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରାଯିବା ପରେ ଡିସିପି ଅନୁପ ସାହୁ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଜାଞ୍ଚ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉଛି ।