ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୪ ତାରିଖ ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। ଆଜି ଠାରୁ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠାରୁ ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇପାରେ ।
୨ ରୁ ୩ ଦିନ ଯାଏଁ କୋରାପୁଟ, ମାଲକାନଗିରି, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଝାରସୁଗୁଡା ଆଦି ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ରାଜସ୍ଥାନରୁ ମଣିପୁର ପର୍ୟ୍ୟନ୍ତ ଏକ ମନସୁନ୍ ଟ୍ରପ୍ଲାଇନ ରହିଛି।ଯାହା ଆସନ୍ତା ୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ୩ ତାରିଖ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ୪ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ବି କୁହାଯାଇଛି। ସୂଚନାଯୋଗ୍ୟ ଏଥର ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯାହା ଫଳରେ ଚାଷ କାର୍ଯ୍ୟ ବହୁତ ବାଧାପ୍ରାପ୍ତ ହୋଇଛି ।