ସମ୍ବଳପୁର(ଏଟିଆର ବ୍ୟୁରୋ): ବିଭିନ୍ନ ଦାବିକୁ ନେଇ ଆଜି ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଉଛି । ପଶ୍ଚିମ ଓଡିଶାରେ ଥିବା ସମସ୍ତ ବାର ଆସୋସିଏଶନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ବନ୍ଦ ଯୋଗୁ ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ଝାଡସୁଗୁଡା, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ, ନୁଆପଡା ସହରରେ ଦୋକାନ ବଜାର ବନ୍ଦ ରହିଛି । ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି ।
ଅନ୍ୟପଟେ ଆନ୍ଦୋଳନକାରୀ ମାନେ ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ରେଳ ରୋକ କରିଛନ୍ତି । ସେହିପରି ବେଙ୍ଗାଲୁରୁ- ହଟିଆ ଏକ୍ସପ୍ରେସ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଓ ରାଉରକେଲା ଡିଏସୟୁ ଟ୍ରେନକୁ ଅଟକାଇ ଦେଇଛନ୍ତି ଆନ୍ଦୋଳନକାରୀମାନେ । ଅଧିକ ସମୟ ଟ୍ରେନ ରେଳ ଷ୍ଟେସନ ରେଳ ଅଟକି ରହିଥିବାରୁ ଯାତ୍ରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାର ସୂଚନା ମିଳିଛି । ଆନ୍ଦୋଳନକାରୀ ମାନେ ସହରଗୁଡିକରେ ରାସ୍ତା ଅବରୋଧ କରିଥିବାରୁ ଶହ ଶହ ଗାଡି ଅଟକିଥିବାର ଜଣାପଡିଛି । ଦୋକାନ ବଜାର ବନ୍ଦ ଥିବାରୁ ସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।