ସମ୍ବଲପୁର,(ଏଟିଆର ବ୍ୟୁରୋ): ମାଳ ମାଳ କର୍ମଚାରୀ । ଦୂଆର ମୁହଁରେ ପୁଣି ସୁରକ୍ଷା କର୍ମୀ । କେହି କିଛି ଜାଣି ପାରିଲେ ନାହିଁ । ଜଣେ ଯୁବତୀ ଆସିଲେ, ଅତି ଆରାମରେ ରୋଗୀକୁ ଇଞ୍ଜକ୍ସନ ଦେଇ ଚାଲିଗଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସଦର ମେଡିକାଲରେ । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁଠି ହଇଚଇ । ଯଦିଓ ଘଟଣା ପରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତଥାପି ବାରମ୍ବାର ହସପିଟାଲର ଏଭଳି ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ରିପୋର୍ଟ ଅନୁସାରେ, ଘଟଣା ପାଇଁ ଡ୍ୟୁଟିରେ ଥିବା ନର୍ସ ଓ ସିକ୍ୟୁରିଟି ଗାର୍ଡକୁ ନିଲମ୍ବିତ କରାଯାଇଛି । ଏପଟେ ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ବି ଠାବ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ନାମ ଲିଲି ବୋଲି ଜଣାପଡିଥିବା ବେଳେ ତାଙ୍କର ମାନସିକ ବିକୃତ ଥିବା ସୂଚନା ମିଳିଛି । ପୁଲିସ ରେକର୍ଡ କହୁଛି ଘଟଣାଟି ହେଉଛି ଶନିବାର ରାତିର । ପାଖାପାଖି ରାତି ସାଢ଼େ ୧୨ଟା ବେଳେ ଲିଲି ମେଡିକାଲକୁ ଆସିଥିଲେ ।
ପ୍ରଥମେ ପୁରୁଷ ୱାର୍ଡ ଓ ପରେ ନର୍ସଙ୍କ କାର୍ଯ୍ୟାଳୟ ଯାଇଥିଲେ । ତେବେ ହସପିଟାଲରେ ସେ ପାଖାପାଖି ଜଣଙ୍କୁ ଇଞ୍ଜକ୍ସନ ଦେଇଥିଲେ । ସନ୍ଦେହ ହେବାରୁ ରୋଗୀଙ୍କ ସର୍ମ୍ପକୀୟ ପାଟିତୁଣ୍ଡ କରିବା ପରେ ଘଟଣା ପଦାକୁ ଆସିଛି । ପୂରା ଘଟଣା ମଧ୍ୟ ହସପିଟାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ପୂରା ଘଟଣାର ସତ୍ୟାସତ୍ୟ ଜାଣିବା ନେଇ ଏକ କମିଟି ଗଠନ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏହି ହସପିଟାଲରେ ଛୁଆ ଚୋରୀ ଅଭିଯୋଗ ମଧ୍ୟ ରହିଛି ।