ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ହେବାର ଏକ ପ୍ରକାର ସୁନିଶ୍ଚିତ ହୋଇଛି । ଆଜି ରାଜ୍ୟ ବିଜେପି ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା । ସମୀର ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯଦି ଆଉ କିଏ ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ ତେବେ ଗତକାଲି ଭୋଟ ଗ୍ରହଣ ହୋଇଥାନ୍ତା । ଏକ ମାତ୍ର ପ୍ରାର୍ଥୀ ଭାବେ ସମୀର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହିଁ ରାଜ୍ୟ ସଭାପତି ହେବେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରତିନିଧିଙ୍କ ଉପସ୍ଥିତି ଓ ରାଜ୍ୟର ସମସ୍ତ ଜିଲ୍ଲା ଓ ରାଜ୍ୟ ପରିଷଦ ନେତାମାନେ ସମୀରଙ୍କ ନାଁରେ ମୋହର ମାରି ଥିବାର ଜଣାପଡିଛି । ଏନେଇ ଆନୁଷ୍ଠାନିକ ଭାବେ ଖୁବଶୀଘ୍ର ଘୋଷଣା କରାଯିବ । ସମୀର ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ତେବେ ସମୀର ରାଜ୍ୟ ସଭାପତି ହେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରାଜ୍ୟ ସଂଗଠନ ଉପରେ ରହିବ ବୋଲି ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ରାଜ୍ୟ ସଭାପତି ରେସରେ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ତେବେ ବରିଷ୍ଠ ନେତାମାନଙ୍କ ବୈଠକ ପରେ ସମୀରଙ୍କ ନାଁରେ ମୋହର ଲଗାଯାଇ ଥିବାର ସୂଚନା ମିଳିଛି । ଅନ୍ୟ ପଟେ ଦଳ ମଧ୍ୟ ସମସ୍ତ ୨୧ ଲୋକ ସଭା ଆସନରୁ ଜଣେ ଲେଖାଏ ସଦସ୍ୟଙ୍କୁ ରାଷ୍ଟ୍ରୀୟ ପରିଷଦ ସଭ୍ୟ ଭାବେ ନିର୍ବାଚିତ କରିଥିବାର ସୂଚନା ମିଳିଛି ।