ଗାଜିଆବାଦ (ଏଟିଆର ବ୍ୟୁରୋ): ପୁଣି ବଗିରୁ ଅଲଗା ହେଲା ଇଞ୍ଜିନ । ସମ୍ପର୍କକ୍ରାନ୍ତି ଟ୍ରେନର ଇଞ୍ଜିନରୁ ଅଲଗା ହେଲା ବଗି । ଏଥରକ ଥରେ ନୁହେଁ ଦୁଇ ଦୁଇଥର ଇଞ୍ଜିନରୁ ଅଲଗା ହେଲା ବଗି । ଚଳନ୍ତା ଗାଡିରୁ ବଗି ଅଲଗା ହେବା ଫଳରେ ଯାତ୍ରା ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସୂଚନାନୁଯାୟୀ, ଆଜି ସକାଳେ ଦିଲ୍ଲୀରୁ ନିଜର ଯାତ୍ରା ଆରମ୍ଭ କରିଥିବା ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଦୁଇ ଥର ବଗି ଛାଡି ପଳାଇଥିଲା । ଟ୍ରେନଟି ଓଡିଶା ଅଭିମୁଖେ ଆସୁଥିବା ବେଳେ ଶୁକ୍ରବାର ସକାଳ ସମୟରେ ଗାଜିଆବାଦ ଷ୍ଟେସନରୁ କିଛି ବାଟ ଆସିବା ପରେ ଟ୍ରେନ ଇଞ୍ଜିନରୁ ଅଲଗା ହୋଇଯାଇଥିଲା ।
ଟ୍ରେନଟି କେତୋଟି ବଗି ଛାଡି ପଳାଇବାର ଖବର ଜଣାପଡିବା ପରେ ଟ୍ରେନଟି ପଛକୁ ଫେରିଲା ଓ ରେଲୱେ କର୍ମଚାରୀମାନେ ଅଲଗା ହୋଇଥିବା ବଗି ଗୁଡିକୁ ସଂଯୋଗ କରିଥିଲେ । ତେବେ ଟ୍ରେନଟି କିଛି ବାଟ ଯିବା ପରେ ଆଲିଗଡ ହତାରସ ଷ୍ଟେସନ ନିକଟରେ ପୁଣି ଥରେ ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲା । ପୂର୍ବଥର ଭଳି ରେଳକର୍ମଚାରୀମାନେ ପହଞ୍ଚି ଇଞ୍ଜିନ ସହ ବଗିର ସଂଯୋଗ କରିଥିଲେ । ତେବେ ବାରମ୍ବାର ଟ୍ରେନରୁ ବଗି ଅଲଗା ହେବା ଘଟଣା ସମ୍ମାକୁ ଆସୁଥିଲେ ମଧ୍ୟ ଏହାକୁ ରେଳ ବିଭାଗ ଯେପରି ଗୁରୁତ୍ୱର ସହ ଗ୍ରହଣ କରୁନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।