କଟକ ( ଏଟିଆର ବ୍ୟୁରୋ): କଟକ ଏସିବି ମେଡିକାଲରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକେ ମେଡିକାଲ କାଜୁଆଲିଟରେ କିଛି ସମୟ ପାଇଁ ତାଲା ପକାଇ ଦେଇଥିଲେ । ଘଟଣାକୁ ନେଇ କିଛି ସମୟ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା । ଖବର ମୁତାବକ ଗତକାଲି କଟକର ସିଡିଏ ହଇରାଣ ବସ୍ତି ଅଞ୍ଚଳରେ ଜଣେ ଛୋଟ ପିଲା ସିଡିରୁ ପଡି ଆହତ ହୋଇଥିଲା । ପିଲାଟିକୁ ଗତକାଲି ପାଖାପାଖି ଅପରାହ୍ନ ୩ ଟା ବେଳେ ପରିବାର ଲୋକେ ଆଣି ମେଡିକାଲରେ ଭର୍ତ୍ତି କରିଥିଲେ ।
ହେଲେ ସେଠାରେ ଡାକ୍ତର ପରୀକ୍ଷା ନିରିକ୍ଷା କରିବା ପରେ ସବୁକିଛି ଠିକଠାକ ଅଛି କହି ଘରକୁ ପଠାଇ ଦେଇଥିଲେ । ମାତ୍ର ପରେ ରାତିରେ ଶିଶୁଟିର ବାନ୍ତି ହୋଇଥିଲା । ପରିବାର ଲୋକେ ପୁଣି ପିଲାଟିକୁ ଆଣି ଡାକ୍ତଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଆଜି ସକାଳୁ ଡାକ୍ତରଖାନାରେ ପିଲାଟିର ମୃତ୍ୟୁ ହୋଇଛି । ପିଲାଟିର ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା । ପରିବାର ଲୋକେ ଓ ସମ୍ପର୍କୀୟ ଡାକ୍ତରଙ୍କ ଚାମ୍ବରକୁ ତାଲା ପକାଇ ଦେଇଥିଲେ । ଖବର ପାଇ ଡାକ୍ତରଖାନାରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।