ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ; ସ୍କୁଲ ବ୍ୟାଗ ଓଜନ ଯାଞ୍ଚ ଆଜିଠାରୁ କଡାକଡି ହୋଇଛି । ଏହି ଅବସରରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଯାଞ୍ଚ କଡାକଡି କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଗଠନ କରିଛନ୍ତି ୩ ଟି ଜିଲ୍ଲା ସ୍ତରୀୟ ସ୍କ୍ୱାଡ । କୁନିକୁନି ପିଲାମାନଙ୍କ କାନ୍ଧରେ ଅଧିକ ବୋଝ ଯେମିତି ନହେବ ସେନେଇ ଏହି ସ୍କ୍ୱାଡ ବ୍ୟାଗ ଯାଞ୍ଚ କରିବ । ଅଚାନକ ସ୍କୁଲରେ ପହଞ୍ଚି ସ୍କ୍ୱାଡ ଗ୍ୟାଗ ଚେକ କରିବ । ଯେଉଁ ସ୍କୁଲ କର୍ତ୍ତୃପକ୍ଷ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସ୍କୁଲ ବ୍ୟାଗ୍ର ନିର୍ଦ୍ଧାରିତ ଓଜନ ନେଇ ସରକାର ପୂର୍ବରୁ ଗାଇଡ଼ଲାଇନ ପ୍ରକାଶ କରିସାରିଥିବା ବେଳେ ଆଜିଠୁ ଯାଞ୍ଚ କଡ଼ାକଡ଼ି ହେବ। ବିଶେଷ କରି ଇଂରାଜୀ ଓ ଶିଶୁ ମନ୍ଦିର ଗୁଡିକରେ ପିଲାମାନଙ୍କ ବ୍ୟାଗ ଓଜନ ଅଧିକ ରହିଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି । ଯାହାକୁ ନଜରରେ ରଖି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ରହିଥିଲା ।
କେବଳ ସେତିକି ନୁହେଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍ ଓଜନ ହ୍ରାସ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ବରୁ ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ନିୟମ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ଦେଢ଼ କିଲୋ ,ତୃତୀୟ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୨-୩ କିଲୋ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୪ କିଲୋ, ଅଷ୍ଟମ-ନବମ ଶ୍ରେଣୀ ପିଲାଙ୍କ ବ୍ୟାଗ ସାଢ଼େ ୪କିଲୋ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ ୫କିଲୋ ରହିବା ପାଇଁ ନିର୍ଦେଶ ରହିଛି ।