ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମହିଳାଙ୍କ ଉପରେ ଚଢ଼ିଗଲା ସ୍କର୍ପିଓ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଲାବଣ୍ୟ ସ୍ୱାଇଁ । ସେ ନାକା ଗେଟ ପାଖ ବସ୍ତିରେ ରୁହନ୍ତି । ତେବେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ଡ୍ରାଇଭର । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତା ଅବରୋଧ କରିଥିଲେ । ପରେ ଖଣ୍ଡଗିରି ଥାନା ଅଧିକାରୀ ଆସି ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକ ରାସ୍ତାରୁ ହଟିଥିଲେ ।
ପୋଲିସ ରିପୋର୍ଟ ଅନୁସାରେ ବୁଧବାର ସକାଳେ ଲାବଣ୍ୟ ରାସ୍ତା କଡରେ ଗାଧୋଉଥିବା ବେଳେ ହଠାତ ସ୍କର୍ପିଓ ଗାଡିଟି ଆସି ପିଟି ଦେଇଥିଲା । ଗାଡି ସ୍ପିଡ ଅଧିକ ଥିବାରୁ ଭାରସାମ୍ୟ ହରାଇ ମାଡ କରିଥିବା କହିଛନ୍ତି ସ୍ଥାନୀୟ ଲୋକ । ତେବେ ପ୍ରବଳ ବେଗରେ ମାଡ ହୋଇଥିବାରୁ ଘଟଣାସ୍ଥଳରେ ହିଁ ଲାବଣ୍ୟଙ୍କ ମୃତ୍ୟୁ ହୋଇଥିଲା । ଲାବଣ୍ୟଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ । ସେ କଳିଙ୍ଗ ଷ୍ଟୁଡିଓ ପାଖ ରାସ୍ତା କଡ ବସ୍ତିରେ ରହୁଥିଲେ ।