ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ସିନେ ଓ ଟିଭି କଳାକାରଙ୍କ ନାଚ ଗୀତରେ ଦୁଲୁକିଲା ମଞ୍ଚ । ନାମୀଦାମୀ କଳାକାରଙ୍କ ମେଳରେ ମତୁଆଲା ହେଲେ ଦର୍ଶକ । ୪ ଦିନ ବ୍ୟାପି କଳିଙ୍ଗ ସଂସ୍କୃତି ଓ ଐତିହ ସୁରକ୍ଷା ମଞ୍ଚ ପକ୍ଷରୁ ଚାଲିଥିବା ଶିଶୁପାଳ ଗଡ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଅନ୍ତିମ ଦିନରେ ଚତୁର୍ଥ ଓଡିଶା ସିନେ ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟବକ୍ତା ଭାବେ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ବିଧାୟକ ସୁଶାନ୍ତ ରାଉତ, ଓଡିଆ ଧାରାବାହିକ ନିର୍ଦେଶକ ମହେଶ ହାଜରା ପ୍ରମୁଖ ଯୋଗ ଦେଇଥିଲେ ।
ସିନେ ଓ ଟିଭି କଳାକାରଙ୍କ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିବା ବେଳେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମିହିର ଦାସ ଓ ଅନୁଚୌଧୁରୀଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ଲାଇପଟାଇମ ଆଚିଭମେଣ୍ଟ ଆୱାଡ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିନେ ଓ ଟେଲି ଜଗତର ବହୁ ପ୍ରତିଷ୍ଠିତ କଳାକାର ମାନେ ଯୋଗ ଦେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।