ଭଦ୍ରକ ( ଏଟିଆର ବ୍ୟୁରୋ): ଆଖିକୁ କିଛି ଦିଶୁନି । କାନକୁ ବି ଠିକ ଶୁଣା ଯାଉନି । ଏମିତି କି ନିଜେ ହାତରେ ଖାଇବାକୁ ମଧ୍ୟ ତାଙ୍କର ଜୁ ନାହିଁ । ତଥାପି ପୁଅ ମନରେ ମା ପ୍ରତି ଆବେଗ ନାହିଁ । ମାକୁ ବୋଝ ଭାବି ଅଧାବାଟରେ ଏକା ଛାଡି ପୁଅ ଚାଲିଗଲେ । ଏଘଟଣା କୌଣସି ଯାତ୍ରା କିମ୍ବା ସିନେମାର ଦୃଶ୍ୟ ନୁହେଁ । ଏହା ଏକସ୍ତ ଘଟଣା । ଜଣେ ୮୦ ବର୍ଷୀୟ ଅନ୍ଧୁଣୀ ମାକୁ ଆହାର କେନ୍ଦ୍ରରେ ଛାଡି ଚାଲିଯାଇଛନ୍ତି ପୁଅ ବୋହୂ । ଏମିତି ଏକ ହୃଦୟ ବିଦାରକୁ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ବସଷ୍ଟାଣ୍ଡ ଆହାର କେନ୍ଦ୍ର ନିକଟରେ ।
ମା କୁ ମେଳା ବୁଲାଇବାକୁ ଆଣି ଆହର କେନ୍ଦ୍ର ପାଖରେ ଛାଡି ଚାଲିଯାଇଛନ୍ତି । ବୃଦ୍ଧା ଜଣଙ୍କ ସକାଳ ଠାରୁ ସେଠାରେ ବସି ରହି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ସେମାନେ ଏନେଇ ବୃଦ୍ଧାମାଙ୍କ ଠାରୁ ସମସ୍ତ କଥା ବୁଝି ସାରିବା ପରେ ତହସିଲଦାରଙ୍କୁ ଖବର ଦେବା ପରେ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ମାଙ୍କୁ ଆଣି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବୃଦ୍ଧା ମା ଙ୍କ ଘର ଚାନ୍ଦବାଲି ମହୁଲିଆ ଗାଁରେ । ତାଙ୍କ ପୁଅଙ୍କ ନାମ ଅର୍ଜୁନ ପୋଥାଳ । ସେ ଚାନ୍ଦବାଲିରେ ନିଜ ଘରବାରି ବିକ୍ରି କରି କେନ୍ଦ୍ରାପଡାରେ ନିଜ ଶ୍ୱଶୁର ଘରେ ରହୁଛନ୍ତି । ଏହି ଖବର ପ୍ରକାଶ ହେବା ପରେ ଏବେ ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି । ଘଟଣାର ଉଚିତ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି ଉଠୁଛି ।