ବରଗଡ (ଏଟିଆର ବ୍ୟୁରୋ); କୂଳ ରକ୍ଷା ପାଇଁ ସବୁ ବାପା ମା ଠାକୁରଙ୍କ ପାଖରେ ପୁଅଟିଏ ମାଗିଥାନ୍ତି । ବୟସର ଶେଷ ସମୟରେ ସହାୟ ହେବ ପୁଅ । ମଲାପରେ ମୁହଁରେ ଟିକେ ନିଆଁ ଦେଲେ ଆତ୍ମାକୁ ଶାନ୍ତି ମିଳିବ ବୋଲି ଆଶା କରି ପୁଅଟିଏ ଜନ୍ମ ଦେଇଥାନ୍ତି । କିନ୍ତୁ ଏହି ପିଲା ମାନେ ବଡ ହେବା ପରେ ବାପା ମାଙ୍କୁ ଯନ୍ତ୍ରଣା ଦେବା ସହ ମାରିବା ପାଇଁ ମଧ୍ୟ ପଛାଇ ନଥିବା ଖବର ପ୍ରସାରିତ ହେଉଛି । ତେବେ ପୁଣି ଥରେ ଏଭଳି ଏକ ଘଟଣା ନଜରକୁ ଆସିଛି । ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ନୃଂଶସ ପୁଅ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁରର ଜଗଦଳପୁର ଥାନା ବିଜୋରଭଟା ଗାଁରେ ।
ମିଳିଥିବା ସୂଚନା ମୁତାବକ କୈାଣସି ଏକ ପାରିବାରିକ କଳହକୁ ନେଇ ବାପା ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଶେଷରେ ସମ୍ପର୍କକୁ ନଦେଖି ନିଜର ଜନ୍ମକଲା ବାପାକୁ ଠେଙ୍ଗାରେ ପିଟିଦେଲା ନୃଂଶସ ପୁଅ । ଏହି ଠେଙ୍ଗା ମାଡରେ ବାପାର ମୃତ୍ୟୁ ହୋଇଛି । ତେବେ ଏହି ଖବର ଜଗଦଳପୁର ଥାନାରେ ପହଁଞ୍ଚିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଏବଂ ଏହି ଘଟଣାରେ ସମ୍ପୃକ୍ତଥିବା ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରା ଉଚରା କରୁଛି । ଅଭିଯୁକ୍ତ ପୁଅ ହେଲା ଦିଲ୍ଲୀପ ଭୋଇ ।