ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ସପିଙ୍ଗମଲ୍ ଖୋଲିବା ପାଇଁ ବିଏମସି ପକ୍ଷରୁ ଅନୁମତି ମିଳିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି । ମାତ୍ର ସପିଙ୍ଗମଲ୍ ଭିତରେ ଥିବା ଫୁଡ୍କୋଟ, ସିନେମାହଲ୍, ଗେମିଙ୍ଗ ଜୋନ୍ ଗୁଡିକ ବନ୍ଦ ରହିବ ।
ଗାଇଡଲାଇନ୍ ଅନୁଯାୟୀ, ମଲ୍ ପରିସରରେ କୌଣସି ପ୍ରକାରର ପ୍ରମୋଶନାଲ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସେହିପରି ମଲ୍ ଭିତରକୁ ଗ୍ରାହକ ପ୍ରବେଶ କଲା ପୂର୍ବରୁ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ । ବିନା ଥର୍ମାଲ ସ୍କ୍ରିନିଂରେ ମଲ୍ ଭିତରକୁ ଗ୍ରାହକ ପ୍ରବେଶ କରିପାରିବେ ନାହିଁ । ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ମଲ୍ ରେ ୬ ଫୁଟର ଦୂାରତା ରହିବ । ସେହିପରି କର୍ମଚାରୀ ଓ ଗ୍ରାହକଙ୍କ ପାଇଁ ମାସ୍କ ପରିଧାନ, ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ।
ଅନ୍ୟପଟେ ସପିଙ୍ଗ ମଲ୍ ଭିତରେ ଅଧିକ ଲୋକ ସମାଗମକୁ ବାରଣ କରାଯିବ । ମଲ ଭିତରେ ହାତ ଧୋଇବା ଏବଂ ସାନଟାଇଜରର ବ୍ୟବସ୍ଥା ରହିବ । ଭିତରକୁ ଯେପରି ଅଧିକ ଲୋକ ପ୍ରବେଶ ନକରିବେ ସେଥିପାଇଁ ଅଡିଓ ଭିଡିଓ ମାଧ୍ୟମରେ ପ୍ରଚାର କରାଯିବ । ସେଣ୍ଟ୍ରାଲ ଏସିର ତାପମାତ୍ରା ୨୪ ରୁ ୩୦ ଡିଗ୍ରୀ ରହିବ । ସର୍ବସାଧାରଣ ସ୍ପର୍ଶ କରୁଥିବା ସ୍ଥାନକୁ ନିୟମିତ ସାନିଟାଇଜ କରାଯିବ । ଯଦି ମଲ ଭିତରେ କୌଣସି ସନ୍ଦିଗ୍ଧକୁ ଚିହ୍ନଟ କରନ୍ତି ମଲ୍ କର୍ତ୍ତୃପକ୍ଷ ତେବେ ତୁରନ୍ତ ବିଏମସିକୁ ଜଣାଇବେ । ଅସୁସ୍ଥ ଲୋକଙ୍କୁ ମଲ୍ ଭିତରକୁ ପ୍ରବେଶ କରାଯିବ ନାହିଁ ।