ପୁରୀ (ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତର୍ଜମା ଚାଲିଛି । ନଭେମ୍ବର ୪ତାରିଖରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୨୨ଟି ମଧ୍ୟବର୍ତ୍ତୀ ଆନେଶ ଉପରେ ଏହି ବୈଠକରେ ଆଲୋଚନା ଚାଲିଛି । ଏହି ବୈଠକରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଆନେଶଗୁଡିକ ଉପରେ ଆଉ କଣ ସବୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିହେବ ତାହାଉପରେ ନିଷ୍ପତ୍ତି ହେବ । ଶ୍ରୀମନ୍ଦିର ପ୍ରଶାସନରେ ସ୍ଥାୟୀ ପ୍ରଶାସକ ନିଯୁକ୍ତିଠାରୁ ଆରମ୍ଭ କରି ଅନ୍ୟାନ ନିର୍ଦ୍ଦେଶ ଉପରେ କେଉଁ ସବୁ ପଦକ୍ଷେପ ନିଆଯିବ ଓ କୋର୍ଟକୁ କଣ ଜବାବ ଦିଆଯିବ ତାହା ଏହି ବୈଠକରେ ନିଷ୍ପତ୍ତି ନିଆଯିବ ।
ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସୁପରିଚାଳନା କରିବା ପାଇଁ ଯେଉଁ ୨୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ତାହାକୁ କାର୍ଯ୍ୟକାରି କରିବାକୁ ହେଲେ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଲୋଡା ଅଛି । ପରିଚାଳନା କମିଟି ସୁପାରିସ କରିବାର ସୂଚନା ମିଳୁଛି । ତେବେ ଜାନୁଆରୀ ୮ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ମାମଲାରେ ପରବର୍ତ୍ତୀ ଶୁଣାଣୀ ହେବ । ତେଣୁ ପରିଚାଳନା କମିଟି ବୈଠକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।