ଭୁବନେଶ୍ୱର,(ଏଟିଆର ଏକ୍ସକ୍ଲ୍ୟୁସିଭ): ବଦଳିବେ ଆଇପିଏସ ଅଫିସର । ଏନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ଦିନେ ଦୁଇଦିନ ନୁହେଁ ଗଲା ମାସେ ହେବ ଏହି ତାଲିକା ପ୍ରସ୍ତୁତ ନେଇ ଚାଲିଛି କସରତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବଡ଼ଧରଣର ଅଦଳ ବଦଳରେ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିବା ୫ଜଣ ଆଇପିଏସ ଅଫିସର ବଦଳିବେ ।
ଗୁଇନ୍ଦା ବିଭାଗରୁ ନେଇ ଅଗ୍ନିଶମ, ଭିିଜିଲାନ୍ସ, ପୁଲିସ ମୁଖ୍ୟାଳୟ ଏପରିକି କମିଶନରେଟରୁ ମଧ୍ୟ ଏକ ବଡ଼ ଧରଣର ଅଦଳ ବଦଳ ହେବ ବୋଲି ଜଣାପଡିଛି । ଦୁଇଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଏହି ବଦଳିକୁ ନେଇ ଗତ ମାସେ ହେବ କସରତ ଚାଲିଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇଁ କାହିଁକି ବିଳମ୍ବ ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ? ତେବେ ଏହି ବଦଳି ତାଲିକାରେ ଖାଲି ଯେ ଆଇପିଏସ ଅଫିସର ରହିଛନ୍ତି ତାହା ନୁହେଁ ବରଂ ଏସିପିଙ୍କଠୁ ଆରମ୍ଭ କରି ଅତିରିକ୍ତ ଡିଜି ପର୍ଯ୍ୟନ୍ତ ବଦଳି ଲାଗି ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି । ସେପଟେ ଏହାକୁ ନେଇ ତୃତୀୟ ମହଲାରୁ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିଛି ତର୍ଜମା । କାହାକୁ କେଉଁଠି ଅବସ୍ଥାପିତ କରାଯିବ ଓ କାହାକୁ କେଉଁଠୁ ବଦଳି କରାଯିବ ।
ସେପଟେ ଏହାରି ଭିତରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି । ଟ୍ୱିନସିଟିରେ ପୁଲିସ କମିଶନର ହେବାକୁ ଅନେକ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡିଛି । ସିଧା କହିବାକୁ ଗଲେ କମିଶନର ହେବାକୁ ରାଜି ହେଉନାହାନ୍ତି ବହୁ ବରିଷ୍ଠ ଆଇପିଏସ ଅଧିକାରୀ । ଯାହାକୁ ନେଇ ଏକ ଗୋଳମାଳିଆ ପରିସ୍ଥିତି ଉପୁଜିଛି । କିଏ ହେବେ କମିଶନର ସେନେଇ ମଧ୍ୟ ତର୍ଜମା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏବେ ଅପେକ୍ଷା ଦୁଇଦିନ ଭିତରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ କିଏ କେଉଁଠି ଓ କେଉଁ ପଦବୀରେ ରହୁଛନ୍ତି ତାହା ଦେଖିବାକୁ ରହିଲା ।