ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଶେଷରେ ପଦ୍ମ ଛାଡିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ । ସେ ଏନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ନିଜର ଇସ୍ତପା ପତ୍ର ପଠାଇଛନ୍ତି । ତାଙ୍କୁ ଦଳରେ ପ୍ରାଧାନ୍ୟ ଦିଆନଯିବାରୁ ସେ ଦଳ ଛାଡିଥିବା ଦର୍ଶାଇଛନ୍ତି । ତେବେ ଦାମ ବାବୁ ଏବେ ବିଜେପି ଛାଡିବା ପରେ ଦାମ ବାବୁଙ୍କ ରାଜନୈତିକ କ୍ୟାରିଅର କ’ଣ ହେବ ? ସେ ପୁଣି କେଉଁ ଦଳକୁ ଯିବେ ? ଏମିତି କେତେକ ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପୁଣି ଦାମ ବାବୁ ପୁଅ ସହଯୋଗରେ ଆଉ ଘର ବାହୁଡିବାକୁ ମନ ବଳାଉ ନାହାନ୍ତି ତ ! ଏମିତି ଅନେକ ପ୍ରଶ୍ନ ।
ତେବେ ଏଇ ଭିତରେ ଦାମ ବାକୁ ନିଜ ଇସ୍ତପା ପତ୍ରରେ ଆଗକୁ ନିଜର ରାଜନୈତିକ ରୂପରେଖ କ’ଣ ରହିବ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ୬ ଥର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ୟ୍ୟ କରି ସାରିବା ପରେ ଏବେ ମୋର ଅଲୋଡା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି ।
ସେ ଲେଖିଛନ୍ତି ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି। ସେ ଯାହା ହେଉ ଏଇ ଭିତରେ ଆଉ ଏକ କଥା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ୭୪ ତମ ଜନ୍ମ ଦିବସରେ ନିଜ ପୁଅର ରାଜନୈତିକ ଭବିଷ୍ୟତ ପାଇଁ ଦାମ ବାବୁ ଆଉ ଏମିତି ଘୋଷଣା କରି ନବୀନଙ୍କୁ ଉପହାର ଦେଲେ ନି ତ ?