ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହାନ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୩ତ୍ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧାର ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନ ପରିସରରେ ଏହି ଜୟନ୍ତୀ ଉତ୍ସବ ପାଳିତ କରାଯାଇଥିଲା ।
ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ନିଷ୍ଠାପର ସାରସ୍ୱତ ସାଧକ, ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ଥିଲେ । ସେ ତିନିଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ରରେ ମନ୍ତ୍ରୀ ଓ ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।
ତେବେ ଜାନକୀ ବଲ୍ଲଭ ପଟ୍ଟନାୟକ ଖୋର୍ଦ୍ଧାର ରାମେଶ୍ୱର ଗ୍ରାମରେ ୧୯୨୭ ମସିହା ଜାନୁଆରୀ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେପଟେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା ।
ଏହି ଉତ୍ସବ ସଭାରେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ସ୍ମୃତି ଉଦ୍ୟାନ କମିଟି ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ସହିତ ପୁର୍ବତ୍ତନ ବିଧାୟକ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇ ସଭାଟିକୁ ସଫଳତାର ସହ ସମ୍ପୁର୍ଣ୍ଣ କରିଛନ୍ତି ।