ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୟଂକର ରୂପ ନେଲା ‘ବୁଲବୁଲ’ । ଆଜି ସକାଳ ୫ଟା ୩୦ରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବାରେ ଲାଗିଲାଣି । ପାରାଦୀପ ଠାରୁ ୧୩୪କି.ମି ଦୂରରୁ ଏହା ଅତିକ୍ରମ କରିବ । ଏବେ ପାରଦ୍ୱୀପଠାରୁ ୩୫୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟା ପ୍ରତି ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡେ ମୁହାଁଉଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ ।
ଆଜି ୬୫ କି.ମି. ବେଗରେ ପବନ ବହିବା ସହ ଆସନ୍ତା କାଲି ୭୦ରୁ ୯୦ କି.ମି. ବେଗରେ ପବନ ବହିବ। ଆଜି ପୁରୀ ଓ ଗଞ୍ଜାମରେ ୪୦ରୁ ୬୦କି.ମି. ବେଗରେ ପବନ ବହିପାରେ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶା ଉପରେ ଏହାର ପ୍ରଭାବ ନଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ ଗତି କରିବା ସମୟରେ ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିବ । ଆସନ୍ତା ୧୦ ତାରିଖ ବେଳକୁ ବତ୍ୟାର ପ୍ରଭାବ ନଥିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଏନଡିଆରଏଫ୍ ଓ ଓଡ୍ରାଫ ଟିମକୁ ସଜାଗ ରଖା ଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।