ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ଆଜିଠୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରାଯାଇଛି । ଆରଟିଓ ଅଫିସରେ ଜନ ଗହଳିକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ରାଜ୍ୟରେ ଥିବା ସମସ୍ତ ଆରଟିଓଙ୍କୁ ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ମଟରଯାନ ଆଇନ ଲାଗୁ ହେବା ଦିନରୁ ରାଜ୍ୟରେ ଥିବା ସମସ୍ତ ଆରଟିଓ ଅଫିସରେ ଭିଡ ଲାଗିରହୁଛି ।
ତେବେ ବର୍ତ୍ତମାନ କରୋନା ଭାଇରସ ବ୍ୟାପୁଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଆଟିଓ ଅଫିସରେ ଗାଡି କାଜଗ ପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଭିଡ ଲାଗି ରହୁଛି । ଯାହା ଦ୍ୱାରା କରୋନା ଭାଇରସ ବ୍ୟାପିବାର ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଡ୍ରାଇଭିଂ ଟେଷ୍ଟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ତେବେ ପୂର୍ବରୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୈନିକ କେବଳ ୫୦ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସି ପାରିବେ ବୋଲି କହିଥିଲେ । ହେଲେ ଏହାକୁ ଗତକାଲି ରାତିିରେ ବଦଳାଇ ଦିଆଯାଇଛି । ଅନ୍ୟପକ୍ଷରେ କଟକ-ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ‘କରୋନା’କୁ ଦୃଷ୍ଟିରେ ରଖି ସରକାରୀ ଓ ଘରୋଇ ବସ ସେବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ସବୁ ବସ କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି।