ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆରମ୍ଭ ହୋଇଯାଇଛି ବାହାଘର ସିଜିନ । ଏନେଇ ଆଗୁଆ ବୁକିଂ କରିବାକୁ ପଡୁଛି ମଣ୍ଡପ । ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଥିବା ବିଭିନ୍ନ ମଣ୍ଡପଗୁଡିକର ବୁକିଂ କଥା ନକହିଲେ ଭଲ । ତେଣୁ ବାହାଘର ସିଜିନ ଆସିବା ଆଗରୁ ଲୋକମାନେ ମଣ୍ଡପର ବୁକିଂ କରିସାରିଲେଣିି । ଏହି ମଣ୍ଡପ ବ୍ୟବସାୟରୁ ଭଲ ଦୁଇ ପଇସା ଲାଭ ହେଉଥିବାରୁ ମଣ୍ଡପ ବ୍ୟବସାୟୀମାନେ ଏହାର ଫାଇଦା ଉଠାଇବା ସହ ଅଧିକରୁ ଅଧିକ ବୁକିଂ ରଖୁଛନ୍ତି ।
ହେଲେ ସବୁଠାରୁ ବଡ଼ କଥା ହେଉଛି କେତେକ ମଣ୍ଡପ ଗୁଡିକର ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ରାଜରାସ୍ତା କଡରେ ଗାଡି ପାର୍କିଂ କରିବାକୁ ପଡୁଛି ।ରାଜରାସ୍ତାରେ ଗାଡି ପାର୍କିଂ ହେବା ଫଳରେ ଗାଡି ଚଳାଚଳରେ ବାଧ୍ୟା ସୃଷ୍ଟି ହେବା ସହିତଏକତରଫା ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବିଗିଡି ଯାଉଥିବାର ଦେଖା ଯାଉଛି । ଖାସ୍ କରି ରାଜଧାନୀର ପ୍ରମୁଖ ସ୍ଥାନ ଯେପରିକି ସାଇ ମନ୍ଦିର , ଟଙ୍କପାଣି ରୋଡ, ପଟିଆ, ଇନଫୋସିସି ରାସ୍ତା ଗୁଡିକରେ ଅନେକ ମଣ୍ଡପ ରହିଥିବାରୁ ରାସ୍ତା ଗୁଡିକ ଅଧିକ ଜାମ୍ ହେଉଛି ।
ଏହି ସବୁ ବାବଦରେ ଗତକାଲି ହାଉସିଂ ଆଣ୍ଡ ଅର୍ବାନ(ଏଚ.ୟୁ.ଡି ) ବିଭାଗର ପ୍ରମୁଖ ସଚିବ ଜି . ମାଥିଭଥନନ ବିଏମସି ଓ ବିଡିଏକୁ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତ କି ଯେଉଁ ସବୁ ମଣ୍ଡପଗୁଡିକର ପାର୍କିଂ ବ୍ୟବସ୍ଥା ନାହିଁ ଏବଂ ଯାହାଫଳରେ ରାସ୍ତା କଡରେ ଗାଡି ରଖି ରାସ୍ତାଗୁଡିକୁ ସଙ୍କୋଚିତ କରାଯାଉଛି ସେହି ସବୁ ମଣ୍ଡପ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ବିଏମସି ଓ ବିଡିଏକୁ ଚିଠି ମାଧ୍ୟମରେ କହିଛନ୍ତି । ଏହା ସହ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଉ ଯେ କି ପ୍ରତ୍ୟେକ ଦିନ ବିଭିନ୍ନ ମଣ୍ଡପ ଯାଇ ଏହି ବାବଦରେ ଜାଞ୍ଚ କରିବା ସହ ରିପୋର୍ଟ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।