ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ତାର କୋପ ଦେଖାଇ ଚାଲିଛି । ଏହି ଲହର ସହରଠୁ ନେଇ ଗାଁରେ ମଧ୍ୟ ନିଜର କାୟା ମେଲାଇଛି । ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ଗ୍ରାମାଞ୍ଚଳକୁ ଫୋକସ କରିଛନ୍ତି ରାଜ୍ୟ ସରକାର । ଏହାସହିତ ସହରାଞ୍ଚଳ ମଧ୍ୟ ସରକାରଙ୍କ ଫୋକସରେ ରହିଛି । ସେହିଅନୁଯାୟୀ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିଗୁଡିକରେ ଡୋର ଟୁ ଡୋର କରୋନା ସର୍ଭେ ଆରମ୍ଭ ହୋଇଛି ।
ଆଶା ଓ ଅଙ୍ଗନୱାଡି କର୍ମୀ ବସ୍ତିରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଆଜିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଲୋକଙ୍କ ଜ୍ୱର ପରୀକ୍ଷା, କୋଭିଡ ରୋଗୀ ଚିହ୍ନଟ, ଘରେ ରହୁଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଔଷଧ ପ୍ରଦାନ କରିବେ ।
ଏହାବ୍ୟତିତ ମଧୁମେହ, ରକ୍ତଚାପ, କର୍କଟ, ତରଳ ଝାଡା, ଯକ୍ଷ୍ମା, ମ୍ୟାଲେରିଆ ରୋଗ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟାର ଯାଞ୍ଚ କରିବେ ଆଶା ଓ ଅଙ୍ଗନୱାଡି କର୍ମୀ ।