ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଆଜି ଜୟପୁରର ଐତିହାସିକ ଅଲବର୍ଟ ହଲରେ ଶପଥ ଗ୍ରହଣ କରିଛନ୍ତି । ଏନେଇ ଉଭୟଙ୍କ ପଦ ଏବଂ ଗୋପନୀୟତା ର ଶପଥ ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂହ କରାଇଛନ୍ତି । ଏହି ସମାବେଶରେ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସାମିଲ ଥିଲେ । ଏମାନଙ୍କ ବ୍ୟତିତ ମଞ୍ଚ ଉପରେ ବିରୋଧୀ ଦଳର ଅନେକ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
ନାରାୟଣ ସାମୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ,ନବଜ୍ୟୋତ ସିଂ ସିଦ୍ଧୁ,ମଲ୍ଲିକାର୍ଜୁନ ଖଡଗେ,ଆନନ୍ଦ ଶର୍ମା, ଅମ୍ବିକା ସୋନୀ ସମେତ ଅନେକ କଂଗ୍ରେସ ନେତା ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଜୟପୁରରେ ପହଁଚିଥିଲେ । ଅନ୍ୟପଟେ ମଞ୍ଚ ଉପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ,ଚନ୍ଦ୍ରବାବୁ ନାଇଡୁ, କୁମାରସ୍ୱାମୀ ମଧ୍ୟ ନଜର ଆସିଥିଲେ ।
ହୁଏତ କଂଗ୍ରେସକୁ ସହାୟକ ହୋଇଥିବା ବହୁଜନ ସମାଜବାଦୀ ଦଳର ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ଦଳର ଅଧ୍ୟକ୍ଷ ଅକ୍ଷିଳେଶ ୟାଦବ ଏହି ଶପଥ ଗ୍ରହଣ ସମାରୋହରୁ ଦୂରେଇ ରହିଛନ୍ତି ସତ କିନ୍ତୁ ଏହା କଂଗ୍ରେସ ପାଇଁ ବଡ ଝଟକା ମଧ୍ୟ କୁହାଯାଇପାରେ ।
ସେପଟେ ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦ ପାଇଁ କମଳନାଥ ଏବଂ ଭୁପେଶ ବାଘେଲ ଶପଥ ଗ୍ରହଣ କରିଛନ୍ତି ।