କଟକ (ଏଟିଆର ବ୍ୟୁରୋ): ଗତକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଏବେ ସମସ୍ତଙ୍କର ନଜର କଟକ ବାରବାଟୀରେ ଖେଳା ଯିବାକୁ ଥିବା ତୃତୀୟ ଦିନିକିଆ ଉପରେ । ଆସନ୍ତା ୨୨ତାରିଖ କଟକ ବାରବାଟୀରେ ଭାରତ ୱେଷ୍ଟଇଣ୍ଟିଜ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଖେଳା ହେବାକୁ ଯାଉଛି । ଏଥିପାଇଁ ବାରବାଟି ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇସାରିଲାଣି । ଅନ୍ୟପଟେ ଅନେକ ଦିନ ପରେ ବାରବାଟୀରେ ମ୍ୟାଚ ଆୟୋଜନ ହେଉଥିବାରୁ ଦର୍ଶକମାନଙ୍କ ମନରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଏହି ମ୍ୟାଚ ଦେଖିବା ପାଇଁ ଆଗରୁ ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ହୋଇସାରିଥିବା ବେଳେ ଆଜି ଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି ।
ଆଉ ତିନି ଦିନ ପରେ ହେବାକୁ ଥିବା ଏହି ମ୍ୟାଚଟିକୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲାଣି । ପ୍ରଥମେ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ପରେ ୧୬ ଓ୧୭ ତାରିଖରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ବିକ୍ରି କରାଯାଇଥିଲା । ତେବେ ଆଜି ଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ କରାଯାଇଛି । ପ୍ରାୟ ୧୦ ହଜାର୩୯ଟି ଟିକେଟକୁ ୧୨ଟି କାଉଣ୍ଟର ମାଧ୍ୟମରେ ଦର୍ଶକମାନେ ପାଇପାରିବେ । ତେବେ ଏହି ଟିକେଟ କିଣିବା ପାଇଁ ଗତକାଲି ରାତିରୁ ଦର୍ଶକମାନେ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଠିଆ ହୋଇ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ କାଉଣ୍ଟର ଗୁଡିକ ସକାଳ୧୦ରୁ ସଂନ୍ଧ୍ୟା୫ଟା ଯାଏଁ ଟିକେଟ ବିକ୍ରି କରାଯିବ ।
ଭିଡକୁ ଆଖି ଆଗରେ ରଖି ପୋଲିସ କମିଶନରେଟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶକମାନେ ବ୍ୟାରିକେଟ ମାଧ୍ୟମରେ ଆସି ଟିକେଟ କାଉଣ୍ଟରରୁ ଟିକେଟ ନେଇପାରିବେ । ୧୯ ଓ ୨୦ ଦୁଇ ଦିନ କାଉଣ୍ଟରରେ ଟିକେଟ ମିଳିବାକୁ ଥିବା ବେଳେ ଟିକେଟ ମିଳିବା ସମୟରେ ଟିକେଟ କିଣୁଥିବା ବ୍ୟକ୍ତିଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ । ସେପଟେ ଜଣକା ପିଛା ଦୁଇଟି ଲେଖାଏଁ ଟିକେଟ ମିଳିପାରିବ । ତେବେ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ ଏବଂ ପ୍ରତି ଡେସ୍କରେ ଜଣେ ପୋଲିସ ଅଧିକାରୀ ରହିବେ ।