ପୁରୀ (ଏଟିଆର ବ୍ୟୁରୋ): ଆଜି ଫଗୁ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଫଗୁଣ ଶୁକ୍ଳ ଦଶମୀ ଠାରୁ ମହାପ୍ରଭୁଙ୍କର ଦୋଳ ଉତ୍ସବ ମଧ୍ୟ ଆରମ୍ଭ ହେବ । ଏହି ସମୟରେ ଶ୍ରୀମନ୍ଦିରରେ ଫଗୁଣ ଶୁକ୍ଳ ଦଶମୀରୁ ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଦ୍ୱିପ୍ରହର ଧୂପ ପରେ ପରେ ଆୟୋଜିତ ହୋଇ ସଂନ୍ଧ୍ୟା ଧୂପପୂର୍ବରୁ ଓହ୍ଲାଇ ଦିଆଯାଏ । ଠାକୁରମାନଙ୍କ ମଧ୍ୟାହ୍ନଧୂପ ସରିବାପରେ ମେକାପ ସେବକମାନେ ଠାକୁରଙ୍କୁ ଚନ୍ଦନଲାଗି, ବସ୍ତ୍ର ଓ ମାଧାବଳୀ ଆଦି ନୂଆ ଲୁଗା ଲାଗି କରାଇ ୬ମୂର୍ତ୍ତି ଅଳଙ୍କାର ଯଥା ୪ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡଗୀ ଲାଗି କରିଥାନ୍ତି । ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ । ଚାଚେରୀ ବେଶରେ ଦିଅଁମାନେ ସ୍ୱତନ୍ତ୍ର ଶୈଳୀରେ ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ହାତରେ ଧରିଥିବା ରୁମାଲ ସବୁ ନାଲିରଙ୍ଗର ହୋଇଥାଏ ।
ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦଙ୍କ ବିଗ୍ରହରେ ନଳୀ ଭୁଜ ଲାଗି କରାଯାଏ । ଜଗନ୍ନାଥଙ୍କ ନଳୀଭୁଜ ସମ୍ମୁଖରେ ଶଙ୍ଖ ଓ ଚକ୍ର; ଏବଂ ବଳଭଦ୍ରଙ୍କ ନଳୀଭୁଜରେ ହଳ ଓ ମୂଷଳ ଖୋଦିତ ହୋଇଥାଏ । ଏହି ବେଶରେ ପିନ୍ଧୁଥିବା ଅଳଙ୍କାରଗୁଡ଼ିକ ହେଲା ମୁଖର ଉଭୟ ପାର୍ଶ୍ୱରେ କୁଣ୍ଡଳ, ମସ୍ତକ ଶୀର୍ଷରେ ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି ଓ ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି । ଏହି ବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼କି ଦ୍ୱାରା ସୁଶୋଭିତ ହୁଅନ୍ତି । ପ୍ରତି ସଂନ୍ଧ୍ୟାରେ ଫଗୁଦଶମୀ ଦୋଳ ବିମାନରେ ଦୋଳ ଗୋବିନ୍ଦ, ଲକ୍ଷ୍ମୀ ଓ ସ୍ୱରସ୍ୱତୀ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଇଥାନ୍ତି । ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ । ସେପଟେ ଆସନ୍ତା ୮ ତାରିଖରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଠିତ ହେବା ସହ ୯ରେ ଦୋଳପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାବିଗ୍ରହ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ।