ପୁରୀ (ଏଟିଆର ବ୍ୟୁରୋ): ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ମନ୍ଦିରରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ନବାଙ୍କ ବେଶ । ଏହି ଅବସରରେ ଗତକାଲି ପରମ୍ପରା ଅନୁଯାୟୀ ଜଗନ୍ନାଥ ବଲ୍ଲଭ ମଠରେ ଦୁଧ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଆଜି ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ସଂନ୍ଧ୍ୟା ଆଳତୀ, ସଂନ୍ଧ୍ୟା ଧୁପ ଓ ଚନ୍ଦନଲାଗି ପୂର୍ବରୁ ଭୋଗମଣ୍ଡପକୁ ପରିଷ୍କାର କରାଯାଇ ଚାନ୍ଦୁଆ ଲଗାଯିବ । ଏହି ଅବସରରେ ମହାପ୍ରଭୁଙ୍କୁ ନବାଙ୍କ ବେଶ ସହ ଚାଉଳ ମେଲଣ ଓ ଫୁଲ ମେଲଣ ଉତ୍ସବ ଅନୁଷ୍ଠିତ ହେବ ।
ଆଜି ସଂନ୍ଧ୍ୟା ଆଳତୀ ପରେ ଓ ବେଶ ପରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ମାଳଚୂଳମାନ ଶ୍ରୀଜିଉଙ୍କୁ ଲାଗି କରାଇବେ । ବଡସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଶଳ, ଇତ୍ୟାଦି ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ପୂର୍ବରୁ ଏହି ବେଶ ନିମନ୍ତେ ସମସ୍ତ ସାମଗ୍ରୀ ଦକ୍ଷିଣ ପାଶ୍ୱର୍ ମଠରୁ ଯୋଗାଇ ଦିଆଯାଉଥିବା ବେଳେ ଏବେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଉଛି । ଏହି ବେଶର ମୁଖ୍ୟ ଆର୍କଷଣ ଗେଣ୍ଡୁ ଫୁଲ ହୋଇଥାଏ ।ଏହି ବେଶରେ ମହାପ୍ରଭୁଙ୍କ ଶିରରୁ ରତ୍ନସଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲମାଳରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ମହାପ୍ରଭୁଙ୍କୁ ଏକ ସ୍ୱତନ୍ତ୍ର ଟୋପି ପିନ୍ଧା ଯାଇଥାଏ ଯାହା ତୁଲସୀ ପତ୍ର ଓ ଗେଣ୍ଡୁମାଳରେ ପ୍ରସ୍ତୁତ ହୋଇଥାଏ । ଅନ୍ୟ ପଟେ ବଡସିଂହାର ଭୋଗ ପରେ ମଦନମୋହନ ଦକ୍ଷୀଣ ଘରରୁ ବିଜେ କରି ରତ୍ନସିଂହାସନକୁ ଆସିଥାନ୍ତି । ସେଠାରେ ମହାପ୍ରଭୁଙ୍କର ଆଜ୍ଞାମଳେ ପାଇବା ପରେ ରତ୍ନସଂହାସନକୁ ସାଢେ ଚାରିଥର ପରିକ୍ରମା କରିବା ପରେ ବଟବୃକ୍ଷ ମୂଳରେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖ ସାଢେ ଚାରିଥର ପରିକ୍ରମା କରିଥାନ୍ତି । ଶ୍ରୀଜିଉଙ୍କର ମୁଖ୍ୟ ୨୪ଟି ବେଶ ମଧ୍ୟରୁ ଏହି ବେଶ ଅନ୍ୟତମ ଅଟେ ।
ଅନ୍ୟପଟେ ଆଜି ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ଶେଷ ହୋଇଛି । ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ନିକଟରେ ବଡଝିଲି, ଦରସୁଆ, ବଡି, ଝିଲି, ବଡବଡା, କାକେରା, ସାନ ଅମାଲୁ ନଳୀ, ଆରିସା, ଏଣ୍ଡୁରୀ, ମୁଗେଇ, ଝଢେଇନେଦା, ଚୁଡା ପୁଆ, ଛତୁ, ଲଡୁ, ଗଜା, ଖଇରଚୁଳ, ଗଇଣ୍ଠା, ମଣ୍ଡା, ଛତୁପୁଆ, କଣ୍ଟେଇ ଆଜି ଭୋଗ ଲାଗିଥାଏ । ଧନୁସଂକ୍ରାନ୍ତିଠାରୁ ମକରସଂକ୍ରାନ୍ତି ଯାଏଁ ମହାଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି ସେଥିପାଇଁ ଶ୍ରୀମନ୍ଦିରରେ ଭୋଗ ମା’ ଯଶୋଦାଙ୍କ ତିଆରି କରିଥାନ୍ତି । ଏଥିପାଇଁ ଏହି ଭୋଗକୁ ପହିଲି ଭୋଗ କୁହାଯାଇଥାଏ ।