ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କୋରାପୁଟ ଜିଲ୍ଲା ଜୟପୁର ସହର ଏକମ୍ବା ନିକଟରେ ସାଧାରଣ ସଭା କରିବେ । ଏଥିପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ମହିଳା ଦିବସ ଅବସରରେ ରାହୁଲ ଏଠାରେ ମହିଳା ସମାବେଶ କରିବା ସହିତ ଦଳୀୟ କର୍ମୀଙ୍କ ନିବାର୍ଚନୀ ଗୁରୁଜ୍ଞାନ ଦେବେ । ଏହାପରେ ସେ ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ନିର୍ବାଚନ ପୂବରୁ ରାହୁଲଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା ।
ପୂର୍ବରୁ ଘୋଷଣା କରାଯାଇଥିଲା କି ୮ ତାରିଖରେ ରାହୁଲ ବରଗଡ ଗସ୍ତରେ ଆସିବେ କିନ୍ତୁ ଏହାକୁ ସ୍ଥଗିତ ରଖି ଜୟପୁରରେ କାର୍ଯ୍ୟକ୍ରମ କରାଯାଉଛି । ତେବେ ବରଗଡ ନେତାଙ୍କ ମନ ଦୁଃଖ ନକରି ଆଉ ୫ଦିନ ପରେ ଅର୍ଥାତ ୧୩ ତାରିଖରେ ପୁଣିଥରେ ଓଡିଶା ଗସ୍ତରେ ଆସିବେ ରାହୁଲ । ଏଣୁ ଦଳୀୟ କର୍ମୀଙ୍କ ମନ ପୁଣିଥରେ ଖୁସି ହୋଇ ଯାଇଛି । ଶୁକ୍ରବାର ରାହୁଲ ମୁଖ୍ୟତଃ ଚାଷୀ ଏବଂ ମହିଳାଙ୍କ ଉପରେ ଫୋକସ କରିବେ । ନିକଟରେ ୩ଟି ରାଜ୍ୟରେ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇ କଂଗ୍ରେସ ସରକାର ଗଢ଼ିଥିଲା । ଏଣୁ ଓଡିଶାରେ ମଧ୍ୟ ସେହି ଫର୍ମୁଲାର ପୁନରାବୃତ୍ତି କରି ପାରନ୍ତି ରାହୁଲ ।
ତେବେ ଏଥରକ ରାହୁଲ ନିଜ ଉଦବୋଧନରେ କଣ କହିବେ ତା ଉପରେ ସମସ୍ତଙ୍କ ନଜର । କାରଣ ପୂର୍ବରୁ ତିନଥର ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମନ ଇଛା ଗାଳି ଦେଇଛନ୍ତି । ଏଣୁ ଏଥର ପୁଣିଥରେ ଚାଷୀ ଏବଂ ମହିଳାଙ୍କ କାର୍ଯ୍ୟକ୍ରମ ମୁଖ୍ୟ ଥିବା ବେଳେ ଏହି ସଭାରେ କଣ କହୁଛନ୍ତି ତା ଉପରେ ସମସ୍ତଙ୍କ ନଜର । ନିର୍ବାଚନ ପାଖେଇ ଆସୁଥିବାରୁ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ । ତେବେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡିବ ବୋଲି ପୂର୍ବାନୁମାନ କରିଛନ୍ତି ରାଜ ନୈତିକ ବିଶେଷଜ୍ଞ ।