ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆରମ୍ଭ ହୋଇ ଯାଇଛି ତ୍ରୟୋଦଶ ତୋଷାଳି କ୍ରାଫ୍ଟ ମେଳା । ଜମୁଛି ଦର୍ଶକଙ୍କ ଭିଡ । ତେବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ପଡିଆକୁ ସଜା ଯାଇଥିବା ତନ୍ତୁ କୃତି ଥିମ ଲୋକଙ୍କୁ ତୋଷାଳି ମେଳା ଟାଣିଆଣୁଛି । ଚଳିତ ବର୍ଷ ୨୮ ତାରିଖରୁ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ଏହି ବହୁ ଚର୍ଚ୍ଚିତ ମେଳା । ଏହି ମେଳା ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରହିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଛୁଙ୍କ । ଏଠାକୁ ବଲିଉଡ ଏବଂ ଓଲିଉଡର ବହୁ ନାମୀଦାମୀ କଳାକାରମାନେ ଆସି ଦର୍ଶକଙ୍କୁ ମତୁଆଲା କରିବେ । ତେବେ ଜାଣନ୍ତୁ କେଉଁ ଦିନ କେଉଁ କଳାକାର ଆସିବେ ।
- ୩୦ ଡିସେମ୍ବର – ବିଶ୍ୱଜିତ ମହାପାତ୍ର ଦର୍ଶକଙ୍କୁ ଝୁମେଇବେ । ତେବେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ନାଁ ରହିଛି ଇଣ୍ଡିଆନ ଆଇଡଲ ନାଇଟ୍ ।
- ୩୧ ଡିସେମ୍ବର – ଏହି ସନ୍ଧ୍ୟାର କାର୍ଯ୍ୟକ୍ରମ ସବୁଦିନଠାରୁ ନିଆରା ରହିବ । ପଶ୍ମିମ ଓଡିଶାର ଲୋକ ପ୍ରିୟ ନୃତ୍ୟ ସମ୍ବଲପୁର ନାଚରେ ଝୁମିବେ ଦର୍ଶକ । ତେବେ ଦର୍ଶକଙ୍କୁ ମତୁଆଲା କରିବେ ଅଶୋକ ପଣ୍ଡା ଏବଂ ତାଙ୍କ ଗ୍ରୁପ ।
- ୧ ଜାନୁୟାରୀ – ନୂତନ ବର୍ଷର ପ୍ରଥମ ଦିନ ହୋଇଥିବାରୁ ଏହି ସନ୍ଧ୍ୟାରେ କମିଟି ପକ୍ଷରୁ ଭଜନ ଭିତିକ କାର୍ଯ୍ୟକ୍ରମ ରହିଛି । ଭକ୍ତିମୟ ପରିବେଶରେ ଦର୍ଶକଙ୍କୁ ବାନ୍ଧି ରଖିବେ ଓଲିଉଡର କଣ୍ଠଶୀଳ୍ପି ଶ୍ରୀ ଚରଣ ଏବଂ ନାଜିଆ ଆଲାମ ଏବଂ ତାଙ୍କ ଟିମ୍ ।
- ୨ ଜାନୁୟାରୀ – ଏହି ସନ୍ଧ୍ୟାରେ ଗଞ୍ଜାମର ପୈାରାଣିକ ନାଟକ ଏବଂ କଳାଜୀବ ଗ୍ରୁପ ବରଗଡ ଦର୍ଶକଙ୍କ ମନମୋହିବେ ।
- ୩ ଜାନୁୟାରୀ – ଏହି ସନ୍ଧ୍ୟାରେ ଦର୍ଶକମାନେ ଡ୍ରାମା ଦେଖିବାର ସୁବିଧା କରିଛି କମିଟି ।
- ୪ ଜାନୁୟାରୀ – ଦର୍ଶକଙ୍କ ମନମୋହିବା ପାଇଁ ସନ୍ଧ୍ୟାରେ ପଣ୍ଡିତ ଅସୀମ ବନ୍ଧୁ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା କଥକ ନୃତ୍ୟ ପରିବେଶଣ କରାଯିବ । ତେବେ ଏହି ଗ୍ରୁପଟି କୋଲକାତାରୁ ଆସିବ ।
- ୫ ଜାନୁୟାରୀ – ଏହି ସନ୍ଧ୍ୟାରେ ସତ୍ୟଜିତ ପ୍ରଧାନ ଗୀତରେ ଦର୍ଶକଙ୍କୁ ଝୁମେଇବା ବେଳେ ଫ୍ୟାସନ ‘ସୋ’ ହେବ ।
- ୬ ଜାନୁୟାରୀ – ଏହି ସନ୍ଧ୍ୟାରେ ସବୁଠାରୁ ଅଧିକ ଦର୍ଶକଙ୍କ ଭିଡ ଜମିବ । କାରଣ ଏହି ସନ୍ଧ୍ୟାକୁ ରଙ୍ଗୀନ କରିବା ପାଇଁ ଓଲିଉଡର ସବୁଠାରୁ ଦାମୀ ଗାୟକ ତଥା ଓଡିଶାର ଘରେ ଘରେ ପରିଚିତ ଗାୟକ ହ୍ୟୁମାନ ସାଗରଙ୍କ ନାଇଟ୍ ରହିଛି । ତାଙ୍କୁ ସହଯୋଗ କରିବା ପାଇଁ ତାଙ୍କ ଗ୍ରୁପ ମଧ୍ୟ ଯୋଗ ଦେବେ ।
- ୭ ଜାନୁୟାରୀ – ଅସୀମା ପଣ୍ଡା ଝୁମେଇବେ ଏହି ସନ୍ଧ୍ୟାରେ । ଶୀତ ରାତିରେ ଅସୀମାଙ୍କ ଗୀତ ଓଡିଆ ଶ୍ରୋତାଙ୍କ ଫୁଲ ମନୋରଞ୍ଜନ କରିବ ।
- ୮ ଜାନୁୟାରୀ – ଏହି ସନ୍ଧ୍ୟାକୁ ଝୁମେଇବା ପାଇଁ ଓଲିଉଡର ପୁରୁଣା ସିଙ୍ଗରମାନେ ଯୋଗ ଦେବେ । ଏଥିରେ ସୁବାଷ ଦାଶ,ପୁଷ୍ପାଞ୍ଜଳି,ଝୁମୁକି ରଥ ଏବଂ ତାଙ୍କ ଗ୍ରୁପ ଯୋଗ ଦେବେ ।
- ୯ ଜାନୁୟାରୀ – ମଲଖମ୍ବ ନୃତ୍ୟ ଶିଳ୍ପୀମାନେ ଏହି ସନ୍ଧ୍ୟାରେ ଦର୍ଶକଙ୍କୁ ଝୁମେଇବେ । ଏହି ଗ୍ରୁପଟି ପୁରୀରୁ ଆସିବ । ଏବଂ ନାଗାଲାଣ୍ଡର ଫକ ଡ୍ୟନ୍ସ ।
- ୧୦ ଜାନୁୟାରୀ – ୟଙ୍ଗ ଡ୍ୟାନ୍ସିଙ୍ଗ ଟ୍ୟଲେଣ୍ଟ ଅଫ ଓଡିଶା । ଏଥିରେ ଦେବ ଦାଶ ଏବଂ ରାଧା ଦର୍ଶକଙ୍କୁ ଝୁମେଇବେ ।
- ୧୧ ଜାନୁୟାରୀ – ଏହି ସନ୍ଧ୍ୟାର ନାମ ରଖାଯାଇଛି ଏଣ୍ଟରଟେନମେଣ୍ଟ ନାଇଟ୍ । ଏଥିରେ ଭୁବନେଶ୍ୱର କମେଡିଆନ ଡିଭାଇନ ଡ୍ୟାନ୍ସଗ୍ରୁପ ଯୋଗ ଦେବେ । ଗାୟକ ଭାବରେ ଆସୁଛନ୍ତି ସୋନମ ।
- ୧୨ ଜାନୁୟାରୀ – ଏହି ସନ୍ଧ୍ୟାରେ ଓଡିଶାର ଆଦିବାସୀ ନୃତ୍ୟରେ ଝୁମିବେ ଦର୍ଶକ । ଏହି ଦିନରେ କୋରାପୁଟର ବୋନ୍ଦା ପ୍ରାଇମେଟିଭ ଗ୍ରୁପ ଏବଂ ନୀଳଗିରିରୁ ଭୂମିଜି ଟ୍ରାଇବାଲ ଗ୍ରୁପ ।
- ୧୩ ଜାନୁୟାରୀ – ଏହି ଦିନରେ ଉଦଜାପଦୀ ଉତ୍ସବ ପାଳିତ ହେବ । ବିଭିନ୍ନ ସ୍ୱତନ୍ତ୍ର ଗ୍ରୁପର ପରଫମମାନ୍ସ ରହିଛି ।
ହସ୍ତତନ୍ତ ଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ଏହି ମେଳାର ଆୟୋଜନ କରାଯାଇଛି । ଏଥିରେ ଦେଶର କୋଣ ଅନୁକୋଣରୁ ବହୁ କାରିଗର ଏବଂ ବୁଣାକାରମାନେ ଆସି ଭାଗ ନେଇଛନ୍ତି । ଚଳିତ ବର୍ଷ ୩୫୦ରୁ ଅଧିକ ବୁଣାକାର ଭାଗ ନେଉଥିବା ବେଳେ ୩୦୦ରୁ ଅଧିକ ଷ୍ଟଲ ଲାଗିଛି । ଏ ବର୍ଷ ୨୫ କୋଟି ଟଙ୍କାର ବ୍ୟବସାୟ ଆଶା ରଖିଛନ୍ତି କମିଟି । ଗତ ବର୍ଷ ୨୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଫଳରେ ଚଳିତ ବର୍ଷ ନୂଆ ରଙ୍ଗରେ ନୂଆ ଧରଣର ସାମଗ୍ରୀ ମାର୍କେଟକୁ ଆସିଥିବାରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା ରଖାଯାଇଛି । ତେବେ ଏଠାରେ ମିଳୁଥିବା ଘରୋଇ ଉପକରଣ କିଣିବା ପାଇଁ ସ୍ତ୍ରୀଲୋକଙ୍କ ଭିଡ ଜମୁଥିବା ବେଳେ ଦୋଳିର ମଜା ନେବା ପାଇଁ ଛୋଟ ଛୁଆଙ୍କ ଭିଡ ମଧ୍ୟ ଜମୁଛି ।
କେବଳ ସାମଗ୍ରୀ କିଣିବା,ବୁଲିବା ଏବଂ ମନୋରଞ୍ଜନ ନୁହେଁ । ଏଠାରେ ମଧ୍ୟ ରହିଛି ଖାଇବାର ସୁବିଧା । ଗୋଟିଏ ଜାଗାରେ ଆପଣ ପାଇ ପାରିବେ ରାଜ୍ୟର ବହୁ ନାମୀଦାମୀ ହୋଟେଲର ଖାଇବା । ଏଠାରେ ୫୦ରୁ ଅଧିକ ହୋଟେଲ ମାନଙ୍କର ଷ୍ଟଲ ପଡିଥିବା ଦେଖିବାକୁ ମିଳୁଛି । ତେବେ ଏଠାରେ ମେଫେୟାର,ସ୍ୱସ୍ତି,କ୍ରାଉନ ଭଳି ବହୁ ଦାମୀ ହୋଟେଲ ମଧ୍ୟ ପସରା ମେଲେଇଛନ୍ତି ।
ଖାଇବାର ମଜା ନେବା ପାଇଁ ମଧ୍ୟ ହଜାର ହଜାର ଗ୍ରାହାକଙ୍କ ଭିଡ ଜମୁଛି । ତେବେ ଆପଣ ଯଦି ତୋଷାଳି ମେଳାକୁ ଯାଉଛନ୍ତି ଆପଣ ଗୋଟିଏ ଜାଗାରେ ପାଇ ପାରିବେ ମନୋରଞ୍ଜନ ,ଘରୋଇ ଉପକରଣ ଏବଂ ଖାଇବା । ଏଣୁ ଗୋଟିଏ ଜାଗାରେ ସବୁ ଜିନିଷ ମିଳୁଥିବାରୁ ତୋଷାଳିରେ ଦର୍ଶକଙ୍କ ଭିଡ ଜମୁଛି ।