ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ବିଭିନ୍ନ ଜାଗାରେ ଦେଖା ଯାଇଥିଲା ଜନ ଅସନ୍ତୋଷ । ହେଲେ ରାଜମହଲ ଛକରେ ଗତକାଲି ଏହା ସବୁ ସୀମା ଟପି ଗଲା । ପୋଲିସ ଓ ଜନତା ହେଲେ ମୁହାଁ ମୁହିଁ । ଯାହା ପରେ ଚେତା ପସିଲା ପୋଲିସ ପ୍ରଶାସନର । ଗତକାଲି କମିଶନରେଟ ପୋଲିସ ପକ୍ଷରୁ କେତେକ କ୍ଷେତ୍ରରେ ନିୟମ କୋହଳ କରାଯାଇଥିବା ବେଳେ ଆଜି ଏବେ ଖୋଦ ରାଜ୍ୟ ମୁଖ୍ୟ ନୂଆ ଟ୍ରାଫିକ ନିୟମକୁ ନେଇ ମୁହ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦେଖା ଦେଇଥିବା ଜନଅସନ୍ତୋଷ ଓ ଜନ ସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ ମାନଙ୍କ ପାଖରେ ଗାଡି କାଗଜ ପତ୍ର ନାହିଁ ସେମାନଙ୍କୁ ୩ମାସ ସମୟ ଦିଆଯାଉଛି ।
ସୂଚନାଯୋଗ୍ୟ ଚଳିତ ମାସ ୧ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ଏହା ପରେ ଏହି ନିୟମକୁ ସାରା ରାଜ୍ୟରେ କଡାକାଡି ଭାବେ ପାଳନ କରାଯାଇଥିଲା । ତେବେ ଗତ କିଛି ଦିନ ଭିତରେ ଜଣେ ଅଟୋ ଚାଳକଙ୍କ ଉପରେ ୪୭ହଜାର ୫୦୦ ଟଙ୍କା ଫାଇନ ପକାଯାଇ ଥିଲା । ସେହିଭଳି ଅନେକ ବାଇକ ଚାଳକଙ୍କ ଉପରେ ଟିକେ ଭୁଲ ହେବା ମାତ୍ର ହଜାର ହଜାର ଟଙ୍କା ଫାଇନ ପଡିଥିଲା । ଯାହାର ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା । ତେବେ ଗତ କାଲି ରାଜମହଲ ଛକରେ ଦେଖା ଯାଇଥିଲା ଉତ୍ତେଜନା । ରାଜମହଲ ଛକରେ ସ୍ଥିତି ସମ୍ଭାଳିବା ପାଇଁ ପୋଲିସ ଲାଠି ଚାଳନ କରିଥିଲା । ଯେଉଁଥିରେ ଜଣେ ସମ୍ବାଦିକ ଗୁରୁତର ଆହାତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଏଭଳି ପଦକ୍ଷପ ନେଇଛନ୍ତି ।