ମାଲକାନାଗିରି ( ଏଟିଆର ବ୍ୟୁରୋ): କୁହାଯାଏ ଲକ୍ଷ୍ୟ ଯଦି ସ୍ଥିର ତେବେ ସଫଳତା ନିଶ୍ଚୟ । ଯାହାକୁ ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତିପଛୁଆ ଜିଲ୍ଲାର ଆଗୁଆ ଝିଅ । ମାଲକାନାଗିରି ଭଳି ମାଓ ଅଧିକୃତ ଜିଲ୍ଲାର ଅନୁପ୍ରିୟା ଲାକ୍ରା ଏବେ ଆକାଶରେ ଉଡାଇବେ ବିମାନ । ମାଲକାନଗିରି ସଦର ମହକୁମା ଡିଏନକେ କଲୋନୀର ଅନୁପ୍ରିୟା ଲାକ୍ରା । ବାପା ଜଣେ ପୋଲିସ ହାବିଲଦାର । ବାପା ମାଙ୍କ ଇଚ୍ଛା ଥିଲା ଝିଅ ତାଙ୍କ ପାଠ ପଢି ଇଞ୍ଜିନିୟର ହେବ । ଏଥିପାଇଁ ମାଲକାନ ଗିରିରୁ ପାଠ ପଢା ଶେଷ କରିବା ପରେ ଅନୁପ୍ରିୟା ଇଂଞ୍ଜିନିୟରିଂ ପଢିବା ପାଇଁ ଆସନ୍ତି ସୁଦୁର ରାଜଧାନୀ ଭୁବନେଶ୍ୱର ।
କଥାରେ ଅଛି ହାତ କରୁଥିବା କାର୍ଯ୍ୟ ଯଦି ମନ ଗ୍ରହଣ ନ କରେ ତେବେ ସେଥିରେ ସଫଳ ହେବା ସହଜ ନୁହେଁ । ଠିକ ସେମିତି ଅନୁପ୍ରିୟା ସିନା ଇଂଞ୍ଜିନିୟରିଂ ପାଠ ପଢୁ୍ଥିଲେ ହେଲେ ତାଙ୍କର ଇଚ୍ଛା ଥିଲା ଅନ୍ୟ କିଛି । ନିଜ ମନରେ ଚାପି ହୋଇଥିବା ଇଚ୍ଛାକୁ ପୁରଣ କରିବା ପାଇଁ ସେ ଇଞ୍ଜିନିୟରିଂ ପାଠ ପଢାକୁ ଅଧାରେ ଛାଡି ପାଇଲଟ ହେବା ପାଇଁ ଆରମ୍ଭ କରନ୍ତି ତାଲିମ । ପ୍ରଥମେ ସେ ଗତି ଇନଷ୍ଟିଚ୍ୟୁଟରେ ତାଲିମ ନେଇଥିଲେ ।
ପରେ ଦିଲ୍ଲୀ , ମୁମ୍ବାଇ ଓ ବେଙ୍ଗଲୁରରେ ପାଇଲଟ ହେବା ପାଇଁ ପରୀକ୍ଷା ଦିଅନ୍ତି । ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୨୦୧୨ ରେ ଆରମ୍ଭ କରନ୍ତି ସ୍ୱତନ୍ତ୍ର ତାଲିମ । ଏବେ ତାଲିମ ସରିବା ପରେ ଅନୁପ୍ରିୟା ଏକ ଘରୋଇ ବିମାନ କମ୍ପାନୀରେ ସହକାରୀ ପାଇଲଯ ଭାବେ ନିଯୁକ୍ତି ପାଇଛନ୍ତି । ସିଙ୍ଗାପୁରରୁ ସେ ପ୍ରଥମ ବିମାନ ବିଦେଶକୁ ଉଡାଇବେ । ତେବେ ଅନୁପ୍ରିୟାଙ୍କ ଏହି ସଫଳତା ପାଇଁ ତାଙ୍କୁ ଏବେ ପ୍ରଶଂସାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ପର୍ଯ୍ୟନ୍ତ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପଛୁଆ ଜିଲ୍ଲାର ଏହି ଆଗୁଆ ଝିଅ ଏବେ ସାରା ଦେଶ ପାଇଁ ପାଲଟିଛନ୍ତି ରୋଲ ମଡେଲ ।