ଭଦ୍ରକ ( ଏଟିଆର ବ୍ୟୁରୋ): ବାପା ଡାକଟି ଯେବେ କାନରେ ପଡେ ସେତେବେଳେ ପ୍ରଥମେ ଆଖି ଆଗକୁ ଚାଲି ଆସେ ତ୍ୟାଗ ଓ ପ୍ରତିଦାନର ପ୍ରତିଛବି । କାହିଁକି ନାଁ ମା ଦଶ ମାସ ୧୦ ଦିନ ଗର୍ଭରେ ଧରି ପିଲାଟିକୁ ଜନ୍ମ ଦିଏ ସତ । ହେଲେ ବାପା ପିଲାଟିକୁ ବଡ କରି ଦୁନିଆ ଆଗରେ ଗୋଟିଏ କରି ଛିଡା କରିବାକୁ ଦେହର ଲହୁକୁ ଝାଳ କରି ଦୌଡୁଥାଏ ଅନବରତ । ହେଲେ ଏ ଦୁନିଆରେ ଏବେ ଏମିତି ବି କିଛି ସୈତାନ ବାପା ଅଛନ୍ତି,ଯିଏ ରାଗରେ ନିଜ ଦେଢ ମାସର ଶିଶୁକୁ ମାରି ପୋତି ଦେଇପାରନ୍ତି ।
ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗେଲଟିଆ ନିଉ କଲୋନୀରେ । ଖବର ମୁତାବକ ଗତ ଅଗଷ୍ଟ ୩୦ ତାରିଖରେ ଘଟିଥିଲା ଏହି ଅମାନବୀୟ ଘଟଣା । ସ୍ତ୍ରୀ , ଝିଅ ଓ ଦେଢ ମାସର ଶିଶୁ ପୁତ୍ର ଘରେ ଶୋଇଥିବା ବେଳେ ବାପା ନିଶା ଶକ୍ତ ଅବସ୍ଥାରେ ନିଜ ଦେଢ ମାସର ଶିଶୁକୁ ମାରି ଦେଇଥିଲା । ପରେ ନିଜ ସ୍ତ୍ରୀ ଏକଥା ଜାଣିବା ପରେ ସ୍ତ୍ରୀକୁ ଧମକାଇ ନିଜେ ନିଜେ ପିଲାଟିକୁ ପୋତି ଦେଇଥିଲା ।
ଗତ ଦୁଇ ଦିନ ତଳେ ନିଶାସକ୍ତ ଅବସ୍ଥାରେ ପୁଣି ସ୍ତ୍ରୀକୁ ମାର ପିଟ୍ କରିଥିଲା । ମୃତ ଶିଶୁର ମା ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶିଶୁର ମୃତଦେହ ମାଟିତଳୁ ଉଦ୍ଧାର କରାଯିବ ବୋଲି ସୂଚନା ମଳିଛି ।