ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିଧାୟକ ନେବେ ଟ୍ରେନିଂ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣା ସତ । ଆସନ୍ତା ୧୩ ତାରିଖରୁ ବିଧାୟକମାନେ ଦୁଇ ଦିନିଆ ପ୍ରଶିକ୍ଷଣ ନେବେ । ଏନେଇ ଆଜି ବିଧାନସଭା ବାଚଷ୍ପତି ସୂଚନା ଦେଇଛନ୍ତି । ବିଧାନସଭାର କାର୍ୟ୍ୟବିଧି ଓ କାର୍ୟ୍ୟ ପରିଚାଳନା ନିୟମାବଳୀ ଏବଂ ଟେକ୍ନୋଲୋଜିର ଉପଯୋଗ ଆଦି ପ୍ରସଙ୍ଗରେ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ । ପାର୍ଲିଆମେଣ୍ଟରୁ କେନ୍ଦ୍ରୀୟ ୬ ଜଣିଆ ଅଧିକାରୀ ଓଡିଶା ଆସିବେ । ସଂପୃକ୍ତ ଅଧିକାରୀମାନେ ବିଧାୟକମାନଙ୍କୁ ଟ୍ରେନିଂ ଦେବେ ।
ଲୋକସଭା ସଚିବାଳୟ ଓ ବିଧାନସଭା ସଚିବାଳୟର ମଳିତି ଆନୂକୁଲ୍ୟରେ ଏହି କାର୍ଯ୍ୟକ୍ରମ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ବିଧାନସଭା ନୂଆ ସଚିବାଳୟ ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ବିଧାନସଭା କାର୍ଯ୍ୟକାଳ ସମୟରେ ବିଧାୟକ ମାନେ କିଭଳି ସେମାନଙ୍କ ମତ ରଖିବେ, ବିଧାନସଭାର ନିୟମାବଳୀ, ବିଧାୟକମାନଙ୍କ କର୍ତ୍ତବ୍ୟ ବିଷୟରେ ଆଲୋଚନା ହେବ । ବରିଷ୍ଠ ବିଧାୟକ ମାନେ ସେମାନଙ୍କ ଅଭିଜ୍ଞତା ମଧ୍ୟ ଆଲୋଚନା କରିବେ ।
ଚଳିତ ବିଧାନସଭା ନିର୍ବାଚନରେ ଅନେକ ନୂଆ ବିଧାୟକ ପ୍ରଥମ କରି ନିର୍ବାଚିତ ହୋଇ ବିଧାନସଭା ଆସିଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ନୂଆ କରି ବିଧାନସଭା ଆସିଥିବା ବିଧାୟକଙ୍କ ପାଇଁ ଏହି ପ୍ରଶିକ୍ଷଶ ବେଶ ସହାୟକ ହେବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି । ରାଜ୍ୟର ସମସ୍ତ ବିଧାୟକ ଏହି ଟ୍ରେନିଂରେ ଭାଗ ନେବେ ବୋଲି ଜଣା ପଡିଛି ।