ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ତିଥିରେ ମହାପ୍ରଭୁଙ୍କ ର କିଛି ନା କିଛି ବେଶ ଅନୁଷ୍ଠିତ ହୋଇଥାଏ । ସେହିପରି ଆଜି ଭାଦ୍ରବ ମାସ ଶକ୍ଳ ତ୍ରୟୋଦଶୀ । ଏହି ଅବସରରେ ଭଗବାନଙ୍କୁ ବାମନ ବେଶରେ ସୁସଜ୍ଜିତ କରାଯାଇଛି । ପାରମ୍ପରିକ ଅନୁଯାୟୀ ଏହି ବାମନ ବେଶରେ ବଡ ଭାଇ ବଳଭଦ୍ର ହସ୍ତରେ ହଳ ଏବଂ ମୁଶଳ ଧରିବା ସହିତ ସୁନା ପାଦ ପିନ୍ଧି ଥାନ୍ତି । ସେହିପରି ସାନ ଭାଇ ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣ ହସ୍ତ ଏବଂ ସ୍ୱର୍ଣ୍ଣ ପାଦରେ ଅଳଂକୃତ କରାଯାଏ ।
ଏହି ବାମନ ବେଶରେ ଖାସ୍ କରି ଶ୍ରୀଜଗନ୍ନାଥଙ୍କ ମଥାରେ ତିଲକ ଅଙ୍କା ଯିବା ସହ ବେଲ ପତ୍ର ମାଳ ଚଢାଯାଇଥାଏ । ଏହାସହିତ ଭଗବାନ୍ ତାଙ୍କ ଡାହାଣ ହସ୍ତରେ କାମାଣ୍ଡଳୁ ଏବଂ ବାମ ହସ୍ତରେ ଛତା ଧରିଥାନ୍ତି । ପୁଷ୍ପାଳକ ସେବକଙ୍କ ଦ୍ୱାରା ଭଗବାନଙ୍କୁ ଏହି ବାମନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରୁ ଏଭଳି ଲାଗେ କି କୌଣସି ଛୋଟ ବ୍ରାହ୍ମଣ କିମ୍ବା ବାମନ ରତ୍ନସିଂହାସନ ଉପରେ ବସିଛନ୍ତି ।
ମହାପ୍ରଭୁଙ୍କର ଏହି ବାମନ ବେଶ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଆରମ୍ଭ ହୋଇଥାଏ ଏବଂ ବଡ ସିଂହାର ବେଶ ଆରମ୍ଭ ହେବା ଯାଏଁ ରହିଥାଏ ।