ବିଜେପୁର ( ଏଟିଆର ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ବିଜେପୁର । ଯୁଆଡେ ଦେଖିବ ସିଆଡେ ଖାଲି ମାଳ ମାଳ ନେତା । ରାଜଧାନୀ ଦଶହରା ଭିଡ ଏବେ ବିଜେପୁରରେ ଦେଖିବାକୁ ମିଳିଛି । ତିନି ପ୍ରମୁଖ ରାଜନୈତିକ ଦଳର ନେତା ମାନେ ଏଠାରେ ଡେରା ପକେଇ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି । ଏହି ଅବସରରେ ଆଜି ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ବିଜେପୁରରେ ଧର୍ମେନ୍ଦ୍ର ଏକ ରୋଡ ସୋ କରି ଭୋଟରଙ୍କୁ ଆକୃଷ୍ଟ କରିବେ । ଏହି ରୋଡ ସୋ’ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ୟ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିଭଳି ସୂଚନା ଅନୁସାରେ ଆସନ୍ତା ୧୭ ଓ ୧୮ରେ ବିଜେଡି ପାଇଁ ମୈଦାନକୁ ଓହ୍ଲାଇବେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ମଧ୍ୟ ରୋଡ ସୋ କରି ଭୋଟରଙ୍କୁ ଭୋଟ ମାଗିବେ । ଅନ୍ୟପଟେ ବିଜେପିର ଜାତୀୟ ନେତ୍ରୀ ସ୍ମୃତି ଇରାନୀ ବିଜେପୁରରେ ଆସି ତାଙ୍କ ଦବଦବା ଦେଖାଇବେ ।