ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । କରୋନା ଭାଇରସର ମୁକାବିଲା କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ଏହାରି ଭିତରେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା କରିବା ପାଇଁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସାମାଜିକ ଦୂରତା ବନାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଏହାକୁ ନଜରରେ ରଖି ଗତକାଲି ୟୁନିଟ ୧ ରେ ଥିବା ହାଟକୁ ବିଏମସି ପକ୍ଷରୁ ଅସ୍ଥାୟୀ ଭାବେ ଏଜି ଛକରୁ ରାଜ ମହଲ ଛକ ପର୍ଯ୍ୟନ୍ତ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ଏହି ହାଟକୁ ୟୁନିଟ-୧ରେ ଥିବା ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରାଯାଇଛି ।ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଅନ୍ୟପଟେ କଟକର ଛତ୍ରବଜାର ପରିବା ମାର୍କେଟକୁ ବାଦାମବାଡ଼ିକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାରରେ ଭିଡ଼ ବଢ଼ିବା ସହ ଲୋକେ ନିର୍ଦ୍ଧାରିତ ଦୂରତା ରକ୍ଷା ନ କରିବାରୁ ଏହାକୁ ବାଦାମବାଡ଼ିକୁ ଘୁଞ୍ଚାଯାଇଛି।
ସୂଚନା ଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ୨୧ ଦିନ ଲକ୍ ଡାଉନ୍ କରିଛନ୍ତି ।