ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ ଅବସରରେ ରାଜପଥରେ ପ୍ରଦର୍ଶୀତ ହୋଇଥିବା ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମମନ୍ଦିରର ପ୍ରକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ ପ୍ରଥମ ପୁରସ୍କାର ପାଇଛି ।
ଏହି ପ୍ରଜ୍ଞାପନ ମେଢର ପ୍ରଦର୍ଶନ ବେଳେ ଶହ ଶହ ଲୋକ ଯୋଡହସ୍ତରେ ତାଙ୍କୁ ସ୍ୱାଗତ କରିବା ସହ ଅନେକ କରତାଳି ଦେଇ ଜୟ ଶ୍ରୀରାମ ଧ୍ୱନି ମଧ୍ୟ ଦେଇଥିଲେ ।
ପ୍ରଜ୍ଞାପନ ମେଢ଼ର ପଶ୍ଚାତ୍ ଭାଗରେ ଥିବା ପ୍ରସ୍ତାବିତ ରାମ ମନ୍ଦିର ପ୍ରତିକୃତି ସମ୍ମୁଖରେ ମହର୍ଷି ବାଲ୍ମୀକ ବସି ରାମାୟଣ ରଚନା କରୁଥିବାର ଦୃଶ୍ୟଟି ପରେଡ୍ ସମୟରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା ।ଏହି ପ୍ରଜ୍ଞାପନ ମେଢ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରିବେ ।
ଏହି ପ୍ରଜ୍ଞାପନ ମେଢ ପ୍ରଥମ ପୁରସ୍କାର ପାଇଥିବାରୁ ଉତ୍ତର ପ୍ରଦେଶର ସୂଚନା ନିର୍ଦେଶକ ଶିଶିର ଟୁଇଟ କରି ଏହାର ପରିକଳ୍ପନାକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ଏହା ସହ ଗୀତିକାର ବିରେନ୍ଦ୍ର ୱାତସ୍ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।
ଏହି ପ୍ରଜ୍ଞାପନ ମେଢରେ ଦୀପୋତ୍ସବ ଏବଂ ରାମାୟଣ କାବ୍ୟର କେତେକ ଆଖ୍ୟାୟିକା ବର୍ଣ୍ଣନା କରାଯାଇଥିଲା । ପ୍ରଭୁ ରାମଚନ୍ଦ୍ର ନିଷାଦରାଜଙ୍କୁ ଆଲିଙ୍ଗନ କରିବା, ଶବରୀଙ୍କ ଠାରୁ କୋଳି ଖାଇବା, ଅହଲ୍ୟାଙ୍କୁ ଶାପମୁକ୍ତ କରିବା, ହନୁମାନ ସଞ୍ଜୀବନୀ ଆଣିବା, ଜଟାୟୁ-ରାମ ସମ୍ବାଦ,ଅଶୋକ ବାଟିକା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୃଶ୍ୟରାଜି ଏହି ମେଢରେ ପ୍ରଦର୍ଶୀତ ହୋଇଥିଲା ।