ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବେଶ କିଛିଦିନ ଶାନ୍ତ ରହିଥିବା ବାଣୀ ବିହାର କ୍ୟାମ୍ପସ ଏବେ ପୁଣି ହୋଇଛି ଅଶାନ୍ତ । ହଙ୍ଗାମା କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଡାଉନ ଡାଉନ ନାରା ସହ ଭିସି ଚୋର ନାରାରେ ଥରି ଉଠିଲା କ୍ୟାମ୍ପସ । ୧୦ ଦଫା ଦାବିକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ନିଦ୍ଧିଷ୍ଟ ସମୟରେ ପରୀକ୍ଷା ଓ ପରୀକ୍ଷାର ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି ହୋଇଛି । ସେହିଭଳି କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଲେଜ କ୍ୟାମ୍ପସକୁ ସିସିଟିଭି ନଜରରେ ରଖିବାକୁ ଦାବି ଉଠିଛି ।
ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ କୂଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବା ସହ କାର୍ଯ୍ୟାଳୟକୁ ଘେରି ରହିଥିଲେ । ଏମିତିକି ଭିସିଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ଥାଧସ୍ଥି ହୋଇଥିଲା । ଯାହାକୁ ନେଇ ନାକେଦମ ହେବାକୁ ପଡିଥିଲା ପୋଲିସକୁ । ପରିସ୍ଥିତି ଅଶାନ୍ତ ହେବାରୁ ଡିସିପି ଅନୁପ ସାହୁ କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଛି ।
ଦାବି ପୂରଣ ନହେଲେ ଆଗମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନରେ ବସିଥିବା ଛାତ୍ରଛାତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜ ନିର୍ବାଚନ ବାତିଲ ହେବା ପରେ ବେଶ କିଛି ଦିନ କ୍ୟାମ୍ପସ ଶାନ୍ତ ପଡିଥିଲା ।